ରେଳଯାତ୍ରା ହେବ ଆହୁରି ଆରାମଦାୟକ। ୧୬ ଡବା ବିଶିଷ୍ଟ ବନ୍ଦେ ଭାରତ ସ୍ଲିପର୍ ପରେ ଏବେ ୨୪ ଡବା ବିଶିଷ୍ଟ ନୂଆ ଟ୍ରେନ୍ ନିର୍ମାଣ ପାଇଁ ପ୍ରସ୍ତୁତି କରୁଛି ଭାରତୀୟ ରେଳବାଇ। ଏହି ଅତ୍ୟାଧୁନିକ ଟ୍ରେନ୍ରେ ଏକାଥରେ ୧,୨୨୪ ଜଣ ଯାତ୍ରୀ ଯାତ୍ରା କରିପାରିବେ। ଦୀର୍ଘ ଦୂରତାର ଯାତ୍ରାକୁ ଆରାମଦାୟକ କରିବା ସହ ଯାତ୍ରୀଙ୍କୁ ଉନ୍ନତ ସୁବିଧା ଯୋଗାଇବା ଏହାର ମୁଖ୍ୟ ଲକ୍ଷ୍ୟ।
ଚେନ୍ନାଇର ଇଣ୍ଟିଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରି (ICF) ଏବଂ ବେଙ୍ଗାଲୁରୁର BEML ମିଳିତ ଭାବେ ଏହି ଟ୍ରେନ୍ ନିର୍ମାଣ କରୁଛନ୍ତି। ଯୋଜନା ଅନୁସାରେ, ୨୦୨୬ ଶେଷ ସୁଦ୍ଧା ଏହାର ପ୍ରଥମ ମଡେଲ୍ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରହିଛି। ଏହିପରି ୫୦ଟି ଅଧିକ କ୍ଷମତା ବିଶିଷ୍ଟ ଟ୍ରେନ୍ ନିର୍ମାଣ କରିବାକୁ ମଧ୍ୟ ରେଳବାଇ ଯୋଜନା କରୁଛି।
କେଉଁ କୋଚ୍ରେ କେତେ ସୁବିଧା?
ପ୍ରସ୍ତାବିତ ୨୪ ଡବା ବିଶିଷ୍ଟ ଟ୍ରେନ୍ରେ ୧୭ଟି ଥାର୍ଡ ଏସି, ୫ଟି ସେକେଣ୍ଡ ଏସି, ଗୋଟିଏ ଫାର୍ଷ୍ଟ ଏସି ଏବଂ ଗୋଟିଏ ଫୁଲ୍ ଏସି ପ୍ୟାଣ୍ଟ୍ରି କାର୍ ରହିବ। ବର୍ତ୍ତମାନର ୧୬ କୋଚ୍ ବିଶିଷ୍ଟ ଟ୍ରେନ୍ରେ ୮୨୩ ଜଣ ଯାତ୍ରୀ ଯାତ୍ରା କରିପାରୁଥିବା ବେଳେ ନୂଆ ଟ୍ରେନ୍ରେ ଏହି କ୍ଷମତା ୧,୨୨୪କୁ ବୃଦ୍ଧି ପାଇବ।
ଯାତ୍ରୀଙ୍କୁ ତାଜା ଓ ଉନ୍ନତ ମାନର ଖାଦ୍ୟ ଯୋଗାଇବା ପାଇଁ ଫୁଲ୍ ଏସି ପ୍ୟାଣ୍ଟ୍ରି କାର୍ ରହିବ। ଏହା ସହ ପ୍ରତ୍ୟେକ କୋଚ୍ରେ ମିନି ପ୍ୟାଣ୍ଟ୍ରି ଏବଂ ଚାଦର ଓ ତଉଲିଆ ରଖିବା ପାଇଁ ସ୍ୱତନ୍ତ୍ର ସ୍ଥାନ ରହିବ।
ଯାତ୍ରା ହେବ ଅଧିକ ଆରାମଦାୟକ
୧୫୦୦ରୁ ୨୦୦୦ କିଲୋମିଟର ଦୂରତାର ରୁଟ୍ରେ ଏହି ଟ୍ରେନ୍ ରାଜଧାନୀ ଏକ୍ସପ୍ରେସ୍ର ବିକଳ୍ପ ହୋଇପାରେ। ଏଥିରେ ଉନ୍ନତ ଶକ୍ ଫ୍ରି ସସ୍ପେନ୍ସନ୍ ବ୍ୟବସ୍ଥା ରହିବ, ଯାହା ଟ୍ରେନ୍ ଚାଲିବା ସମୟରେ ଝଟ୍କା କମାଇବାରେ ସହାୟକ ହେବ।
ପ୍ରତ୍ୟେକ ବର୍ଥରେ ପଢ଼ିବା ପାଇଁ ଲାଇଟ୍, USB ଚାର୍ଜିଂ ପୋର୍ଟ ଏବଂ ଆରାମଦାୟକ କୁଶନ୍ ରହିବ। କୋଚ୍ଗୁଡ଼ିକ ମଧ୍ୟରେ ଯାତାୟାତ ପାଇଁ ଅଟୋମେଟିକ୍ ସେନ୍ସର୍ଯୁକ୍ତ ସ୍ଲାଇଡିଂ ଡୋର୍ ରହିବ। ଫାର୍ଷ୍ଟ ଏସି କୋଚ୍ରେ ଗରମ ପାଣିରେ ଗାଧୋଇବା ସୁବିଧା ମଧ୍ୟ ଯୋଜନାରେ ରହିଛି।
ସୁରକ୍ଷା ପାଇଁ ଟ୍ରେନ୍ରେ କବଚ ଆଣ୍ଟି-କଲିଜନ୍ ସିଷ୍ଟମ୍, ସିସିଟିଭି କ୍ୟାମେରା, ଅଗ୍ନି ନିର୍ବାପକ ଉପକରଣ ଏବଂ କ୍ରାଶ୍ ବଫର୍ ଭଳି ବ୍ୟବସ୍ଥା ରହିବ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଦୀର୍ଘ ଦୂରତାର ରେଳଯାତ୍ରାରେ ଯାତ୍ରୀଙ୍କୁ ଅଧିକ ସୁବିଧା ମିଳିପାରିବ।