ଉତ୍ତର ପ୍ରଦେଶର ବିଜନୋର ଜିଲ୍ଲା ନଜିବାବାଦ କୋତାୱାଲିରେ ଡିଏମ୍ ଉମେଶ ପ୍ରତାପ ସିଂହ ଏବଂ ଏସପି କୃଷ୍ଣ କୁମାର ବିଷ୍ଣୋଇ 'ସମାଧାନ ଦିବସ' କାର୍ଯ୍ୟକ୍ରମରେ ଲୋକଙ୍କ ଅଭିଯୋଗ ଶୁଣୁଥିଲେ। ଏହି ମଧ୍ୟରେ ନଜିବୁଦ୍ଦୌଲାସ୍ଥିତ ମସଜିଦ୍ରୁ ଉଚ୍ଚ ଶବ୍ଦରେ ଲାଉଡସ୍ପିକର ଆୱାଜ୍ ଆସିବାକୁ ଲାଗିଲା। ଯାହା ପରେ ସେମାନେ ତୁରନ୍ତ ପୁଲିସ ପଠାଇ ଲାଉଡସ୍ପିକର କାଢ଼ି ଦେଇଥିଲେ। ପୁଲିସ ମସଜିଦ୍ର ମୁଅଜ୍ଜିନ୍ ଫୈଜାନଙ୍କୁ ଗିରଫ କରିଛି।
ପୁଲିସର ଏହି କାର୍ଯ୍ୟାନୁଷ୍ଠାନ ଯୋଗୁଁ ସମଗ୍ର ଅଞ୍ଚଳରେ ହଙ୍ଗାମା ସୃଷ୍ଟି ହୋଇଛି। ସବ୍-ଇନ୍ସପେକ୍ଟର ସୌରଭ ସିଂହଙ୍କ କହିବା ଅନୁଯାୟୀ, ସୁପ୍ରିମ୍ କୋର୍ଟଙ୍କ ନିୟମାବଳୀର ଉଲ୍ଲଂଘନ କାରଣରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହା ସହିତ ଏସପି କର୍ତ୍ତବ୍ୟରେ ଅବହେଳା ପାଇଁ ଜଣେ ସିପାହୀଙ୍କୁ ନିଲମ୍ବିତ କରିଛନ୍ତି।
ଜନସୁଣାଣି କରୁଥିଲେ ଦୁଇ ଅଧିକାରୀ
ମିଳିଥିବା ସୂଚନା ଅନୁଯାୟୀ, ଶନିବାର ନଜିବାବାଦ କୋତାୱାଲିରେ ଜନସୁଣାଣି କାର୍ଯ୍ୟକ୍ରମରେ ଡିଏମ୍ ଉମେଶ ପ୍ରତାପ ସିଂହ ଏବଂ ଏସପି କୃଷ୍ଣ କୁମାର ବିଷ୍ଣୋଇ ପହଞ୍ଚିଥିଲେ। ଦୁଇ ଅଧିକାରୀ ଲୋକଙ୍କ ସମସ୍ୟା ଶୁଣୁଥିଲେ। ଏହି ମଧ୍ୟରେ ମସଜିଦର ଲାଉଡସ୍ପିକର ଉଚ୍ଚ ଶବ୍ଦ ଆସିବାରୁ ଦୁଇ ଅଧିକାରୀ ଅସନ୍ତୋଷ ପ୍ରକାଶ କରିଥିଲେ। ଯାହା ପରେ ପୁଲିସ ପଠାଇ ଲାଉଡ ଓହ୍ଲାଯାଇଥିଲା।
ସୁପ୍ରିମ୍ କୋର୍ଟଙ୍କ ନିୟମ ଅବହେଳା
ସବ୍-ଇନ୍ସପେକ୍ଟର ସୌରଭ ସିଂହଙ୍କ ଏଫ୍ଆଇଆର୍ ଅନୁଯାୟୀ, ସୁପ୍ରିମ୍ କୋର୍ଟଙ୍କ ଆଦେଶ ଅବମାନନା ଅଭିଯୋଗରେ ମସଜିଦ୍ର ମୁଅଜ୍ଜିନ୍ ଫୈଜାନଙ୍କୁ ଗିରଫ କରାଯାଇଛି। ମସଜିଦ୍ର ଲାଉଡସ୍ପିକର ନିର୍ଦ୍ଧାରିତ ମାପଦଣ୍ଡଠାରୁ ଅଧିକ ଶବ୍ଦ ହେଉଥିଲା, ଯାହାଫଳରେ ସାଧାରଣ ଜନତାଙ୍କୁ ସମସ୍ୟା ହେଉଥିଲା। ମସଜିଦରୁ ଲାଉଡସ୍ପିକର ମଧ୍ୟ କାଢ଼ି ଦିଆଯାଇଛି। ବାକି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।
ଅପରପକ୍ଷରେ ଏସପି, କନେଷ୍ଟବଳ ଲଲିତ କୁମାରଙ୍କୁ ମଧ୍ୟ କର୍ତ୍ତବ୍ୟରେ ଅବହେଳା କରିବା ଅଭିଯୋଗରେ ନିଲମ୍ବିତ କରିଛନ୍ତି। ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ପୂରା ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି। ଏପରି କାର୍ଯ୍ୟାନୁଷ୍ଠାନ ଯୋଗୁଁ ଆଲୋଡନ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ଉପସ୍ଥିତ ଲୋକଙ୍କ କହିବା ଅନୁଯାୟୀ, ଦୁଇ ଅଧିକାରୀ ଲାଉଡସ୍ପିକରର ଆୱାଜ୍ ଶୁଣି କ୍ରୋଧାନ୍ୱିତ ହୋଇପଡ଼ିଥିଲେ, ଯାହା ପରେ ତୁରନ୍ତ ପୁଲିସ ପଠାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏହା ସହ ଅଧିକାରୀମାନେ ସ୍ଥାନୀୟ ପୁଲିସ କର୍ମଚାରୀଙ୍କୁ ଏହି ସମ୍ବନ୍ଧରେ ନିର୍ଦ୍ଦେଶ ଦେଇଥିଲେ ଏବଂ ମସଜିଦ୍ଗୁଡ଼ିକରେ ନିର୍ଦ୍ଧାରିତ ମାପଦଣ୍ଡ ଅନୁଯାୟୀ ହିଁ ଲାଉଡସ୍ପିକର ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ।