ଶ୍ରୀନଗର: ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖା (LoC) ନିକଟରେ ଏକ ବଡ଼ଧରଣର ବିସ୍ଫୋରଣ ଘଟିଛି। ଭାରତୀୟ ସୀମାରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ସମୟରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇ ୪ ଜଣ ପାକିସ୍ତାନୀ ଆତଙ୍କବାଦୀ ଘଟଣାସ୍ଥଳରେ ନିହତ ହୋଇଛନ୍ତି। ଏହି ଆତଙ୍କବାଦୀମାନଙ୍କ ମଧ୍ୟରେ କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତୈବା (LeT)ର ଜଣେ ଶୀର୍ଷସ୍ଥଳୀୟ କମାଣ୍ଡର ମଧ୍ୟ ସାମିଲ ରହିଥିବା ନେଇ ସୁରକ୍ଷା ଏଜେନ୍ସିଗୁଡ଼ିକ ପକ୍ଷରୁ ସୂଚନା ମିଳିଛି।
ସୂଚନା ମୁତାବକ, ପୁଞ୍ଚ ଜିଲ୍ଲାର କେଜି ସେକ୍ଟରର ସତୱାଲ-ନକୀ ଅଞ୍ଚଳ ଦେଇ କିଛି ଆତଙ୍କବାଦୀ ଭାରତୀୟ ସୀମା ଭତରକୁ ବେଆଇନ ଭାବେ ପଶିଆସିବାକୁ ପ୍ରୟାସ କରୁଥିଲେ। ସେହି ସମୟରେ ସେମାନେ ସୀମାରେ ବିଛାଯାଇଥିବା ଏକ ଲ୍ୟାଣ୍ଡମାଇନ୍ ସଂସ୍ପର୍ଶରେ ଆସିଯିବାରୁ ଏକ ଭୟଙ୍କର ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣରେ ଆତଙ୍କବାଦୀମାନଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି।
ନିହତ ହୋଇଥିବା ଆତଙ୍କବାଦୀମାନଙ୍କ ମଧ୍ୟରେ ଲସ୍କର-ଏ-ତୋଇବାର ଟପ୍ କମାଣ୍ଡର ମହମ୍ମଦ ଫୈଜାନ ରହିଛି। ଏହାସହ ଅନ୍ୟ ତିନି ଜଣ ଆତଙ୍କବାଦୀଙ୍କ ପରିଚୟ ମହମ୍ମଦ ଇସ୍ତିଆକ୍, ମହମ୍ମଦ ୱକାସ୍ ଏବଂ ମହମ୍ମଦ ଆସିମ୍ ଭାବେ ସ୍ପଷ୍ଟ କରାଯାଇଛି। ଏହି ସମସ୍ତେ ପାକିସ୍ତାନ ଅଧିକୃତ କଶ୍ମୀର ଅନ୍ତର୍ଗତ ପୁଞ୍ଚ ଜିଲ୍ଲାର ହଜିରା ତହସିଲର ମଣ୍ଡଲା ଓ ମଦାରପୁର ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି।
ସୁରକ୍ଷା ବାହିନୀର କାଉଣ୍ଟର ଅପରେସନ୍ ଏବଂ ଆଲର୍ଟ
ସତୱାଲ-ନକୀ ଅଞ୍ଚଳଟି ଦୀର୍ଘ ଦିନ ହେବ ଅନୁପ୍ରବେଶକାରୀଙ୍କ ପାଇଁ ଏକ ପାରମ୍ପରିକ ରୁଟ୍ ଭାବେ ବ୍ୟବହାର ହୋଇଆସୁଛି, ସେଥିପାଇଁ ଘଟଣା ପରେ ସମଗ୍ର ସୀମାଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ସୁରକ୍ଷା ବଳ ପକ୍ଷରୁ ସମଗ୍ର ସେକ୍ଟରରେ ହାଇ ଆଲର୍ଟ ଜାରି କରାଯାଇ କମ୍ବିଂ ଅପରେସନ୍ ଜୋରଦାର କରାଯାଇଛି।
ଅନ୍ୟପଟେ, ଭାରତୀୟ ସେନା ପକ୍ଷରୁ ଗତ କିଛି ଦିନ ହେବ ଏହି ଅଞ୍ଚଳରେ କ୍ରମାଗତ ସର୍ଚ୍ଚ ଅପରେସନ୍ ଜାରି ରହିଛି। ସେନା ସ୍ଥାନୀୟ ମେଣ୍ଢର ସେକ୍ଟରର ବସୋନି ଅଞ୍ଚଳରେ ସୀମା ବାଡ଼ ନିକଟରୁ ଆଜି ମଧ୍ୟ କିଛି ପୁରୁଣା ବାରୁଦ ସୁରଙ୍ଗ ଚିହ୍ନଟ କରି ନିୟନ୍ତ୍ରିତ ବିସ୍ଫୋରଣ ଜରିଆରେ ସେଗୁଡ଼ିକୁ ନଷ୍ଟ କରିଛନ୍ତି। ଗତ ଗୋଟିଏ ସପ୍ତାହ ମଧ୍ୟରେ ସେନା ପକ୍ଷରୁ ଏହି ଅଞ୍ଚଳରୁ ପ୍ରାୟ ୧୨ଟି ଲ୍ୟାଣ୍ଡମାଇନ୍ ଠାବ କରାଯାଇ ନିଷ୍କ୍ରିୟ କରାଯାଇସାରିଛି।