ନୂଆଦିଲ୍ଲୀ: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋମବାର ସନ୍ଧ୍ୟାରେ ସୁପ୍ରିମକୋର୍ଟରେ ନିର୍ବାଚନ କମିଶନଙ୍କ ବିରୋଧରେ ଏକ ବ୍ୟକ୍ତିଗତ ଆବେଦନ ଦାଖଲ କରିଛନ୍ତି । ଭାରତର ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ଭେଟିବାକୁ ମନା କରିବା ପରେ ଏବଂ ସିଜେଆଇଙ୍କ ପରାମର୍ଶ କ୍ରମେ ରାହୁଲ ନ୍ୟାୟିକ ରାସ୍ତା ଆପଣାଇଛନ୍ତି । ଏହି ଜନସ୍ୱାର୍ଥ ମାମଲାରେ ଇଣ୍ଡି ମେଣ୍ଟର ୧୧ ଜଣ ନେତା ସ୍ୱାକ୍ଷର କରିଛନ୍ତି ।
ଆବେଦନରେ ବଡ଼ ପରିମାଣରେ ମତଦାତାଙ୍କ ବାଦ ଦେବା ଏବଂ ଭୋଟର ତାଲିକାର ଏସ୍ଆଇଆର୍ ଅନିୟମିତତା, ମୁଖ୍ୟ ନିର୍ବାଚନ ଆୟୁକଙ୍କ ବିରୋଧରେ ଅନେକ ଗମ୍ଭୀର ଅଭିଯୋଗ ମଧ୍ୟ କରାଯାଇଛି। ଆବେଦନରେ 'ଭୋଟ୍ ଚୋରି' ଅଭିଯୋଗରେ ଏସ୍ଆଇଆର୍ ଉପରେ ସ୍ଥଗିତାଦେଶ ଜାରି କରିବା ଏବଂ ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରାଯାଇଛି।
ରାହୁଲ ଗାନ୍ଧୀଙ୍କ ବ୍ୟତୀତ ଆବେଦନକାରୀଙ୍କ ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ, ଆରଜେଡି ନେତା ତେଜସ୍ୱୀ ଯାଦବ, ତୃଣମୂଳ କଂଗ୍ରେସ (ମମତା ଗୋଷ୍ଠୀ) ନେତା ସୌଗତ ରାୟ, ଶିବସେନା ନେତା ସଞ୍ଜୟ ରାଉତ, ଡି ରାଜା, ମହୁଆ ମାଝୀ, ସୁପ୍ରିୟା ସୁଲେ, ଇଟି ମହମ୍ମଦ ୱାଶୀର ଏବଂ ସିପିଆଇ(ଏମ୍) ସାଧାରଣ ସମ୍ପାଦକ ଏମଏ ବେବି ସାମିଲ ଅଛନ୍ତି।
ଆଜି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଇଣ୍ଡି ମେଣ୍ଟ ସୁପ୍ରିମକୋର୍ଟ ପଦଯାତ୍ରା କରିଥିଲା । ଏକ ବିଶାଳ ଶୋଭାଯାତ୍ରା ସୁପ୍ରିମକୋର୍ଟ ଯାଇଥିଲେ । ଏଥିରେ ଅନେକ ବିରୋଧୀ ଦଳ ନେତା ସାମିଲ ଜଣକ ପରେ ଜଣେ ସାମିଲ ହୋଇଥିଲେ । ରାହୁଲ ଗାନ୍ଧୀ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସୁପ୍ରିମକୋର୍ଟରେ ପହଞ୍ଚି ପାରିନଥିଲେ । ଫଳସ୍ୱରୂପ, ତାଙ୍କ ପକ୍ଷରୁ ଓକିଲ ଏସ୍. ପ୍ରସନ୍ନା ଆବେଦନ ଦାଖଲ କରିଥିଲେ। ରାହୁଲ ଗାନ୍ଧୀଙ୍କୁ ଅପରାହ୍ନ ୪:୩୦ ସୁଦ୍ଧା ସୁପ୍ରିମକୋର୍ଟରେ ପହଞ୍ଚିବାର ଥିଲା।