ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଏଲ୍. ମୁରୁଗନ୍ ଇସ୍ତଫା ଦେଇଛନ୍ତି। ସୂଚନା ଓ ପ୍ରସାରଣ ତଥା ମତ୍ସ୍ୟ ଏବଂ ପଶୁପାଳନ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ତୁଲାଉଥିବା ମୁରୁଗନ୍ ନିଜ ପଦବୀ ସହ ରାଜ୍ୟସଭା ସଦସ୍ୟପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ତାଙ୍କର ଏହି ଇସ୍ତଫା ପରେ ମୋଦୀ କ୍ୟାବିନେଟର ଅଦଳ ବଦଳ ଚର୍ଚ୍ଚାକୁ ଆହୁରି ବଳ ଦେଇଛି।
ଇସ୍ତଫା ପରେ ଏକ୍ସ ରେ ଏକ ଭାବବିହ୍ୱଳ ପୋଷ୍ଟ୍ କରି ମୁରୁଗନ୍ ଲେଖିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ମାତା ଏବଂ ତାମିଲନାଡ଼ୁର ସେବା କରିବା ତାଙ୍କ ଜୀବନର ସବୁଠାରୁ ବଡ଼ ସମ୍ମାନ। ଜଣେ ଦିନମଜୁରିଆଙ୍କ ପୁଅ ହୋଇ କେନ୍ଦ୍ର ମନ୍ତ୍ରୀପରିଷଦରେ ସେବା କରିବାର ସୁଯୋଗ ପାଇବା ତାଙ୍କ ପାଇଁ ସୌଭାଗ୍ୟର କଥା।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏବେ ସେ ପୁଣି ଥରେ ତୃଣମୂଳ ସ୍ତରକୁ ଫେରି ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଛିଡ଼ା ହେବାକୁ ଚାହୁଁଛନ୍ତି। ୨୦୨୯ ଲୋକସଭା ନିର୍ବାଚନ ପୂର୍ବରୁ ତାମିଲନାଡ଼ୁରେ ବିଜେପିକୁ ମଜବୁତ୍ କରିବା ପାଇଁ ନିଜକୁ ସମ୍ପୂର୍ଣ୍ଣ ସମର୍ପିତ କରିବେ। ତାଙ୍କ ପାଇଁ ପ୍ରଥମେ ରାଷ୍ଟ୍ର, ତା'ପରେ ଦଳ, ଆଉ ଶେଷରେ ସେ ନିଜେ।
ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ମୁରୁଗନ୍ ଜଣାଇଛନ୍ତି ଯେ, ସେ ନିଜ ରାଜ୍ୟ ତାମିଲନାଡ଼ୁରେ ବିଜେପି ସଂଗଠନକୁ ସୁଦୃଢ଼ କରିବା ପାଇଁ ପୂର୍ଣ୍ଣ ସମୟ ଦେବାକୁ ଚାହୁଁଛନ୍ତି। ନିକଟରେ ପ୍ରଧାନମନ୍ତ୍ରୀଙ୍କ ତାମିଲନାଡ଼ୁ ଗସ୍ତ ସମୟରେ ଜନସାଧାରଣ ଦେଖାଇଥିବା ଭଲପାଇବା ଓ ଉତ୍ସାହ ତାଙ୍କୁ ରାଜ୍ୟ ରାଜନୀତିକୁ ଫେରିବା ପାଇଁ ପ୍ରେରଣା ଦେଇଛି।
ଏଲ୍. ମୁରୁଗନ୍ଙ୍କ ଇସ୍ତଫା ପରେ ରାଜନୈତିକ ଚର୍ଚ୍ଚା ଜୋର୍ ଧରିଛି। ବିଜେପି ତାମିଲନାଡ଼ୁରେ ନିଜର ସ୍ଥିତି ମଜବୁତ୍ କରିବା ପାଇଁ ଏକ ବଡ଼ ରଣନୀତି ଉପରେ କାମ କରୁଥିବା ଅନୁମାନ କରାଯାଉଛି। ତାମିଲନାଡ଼ୁ ରାଜନୀତିରେ ମୁରୁଗନ୍ଙ୍କୁ ବିଜେପିର ଜଣେ ବଡ଼ ଦଳିତ ଚେହେରା ଭାବେ ବିବେଚନା କରାଯାଉଥିବାରୁ, ଦଳ ତାଙ୍କୁ ରାଜ୍ୟ ସଂଗଠନରେ କୌଣସି ବଡ଼ ଓ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇପାରେ।