ନୂଆଦିଲ୍ଲୀ: ଗୋଟିଏ ପଟେ କକରୋଚ ଜନତା ପାର୍ଟି ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ସମଗ୍ର ଦେଶରେ ବଡ ଅଭିଯାନ ଚଳାଇବା ପାଇଁ ପ୍ରସ୍ତୁତି ଚଳାଇଛି । ଏହା ମଧ୍ୟରେଦେଶର ରାଜନୈତିକ ଏବଂ ସୋସିଆଲ ମିଡିଆ ମହଲରେ ଏବେ ଏକ ନୂତନ ଏବଂ ଚର୍ଚ୍ଚିତ ବିଷୟ ସାମ୍ନାକୁ ଆସିଛି। 'କକରୋଚ ଜନତା ପାର୍ଟି' ପରେ ସୁପ୍ରିମକୋର୍ଟଙ୍କ ଏକ ମାର୍ମିକ ଏବଂ ବ୍ୟଙ୍ଗାତ୍ମକ ମନ୍ତବ୍ୟକୁ ଆଧାର କରି ସୋସିଆଲ ମିଡିଆରେ 'ମାଛି ଜନତା ପାର୍ଟି' (MJP) ନାମକ ଏକ ନୂତନ ସଂଗଠନ ଜନ୍ମ ନେଇଛି। ଆଶ୍ଚର୍ଯ୍ୟଜନକ ଭାବେ ଏହି ସଂଗଠନଟି ମାତ୍ର ୭୨ ଘଣ୍ଟା ମଧ୍ୟରେ ଅନଲାଇନ୍ ଦୁନିଆରେ ବେଶ୍ ଲୋକପ୍ରିୟତା ହାସଲ କରିଛି।
କିପରି ଆରମ୍ଭ ହେଲା 'ମାଛି ଜନତା ପାର୍ଟି' ?
କିଛି ଦିନ ପୂର୍ବେ ଏକ ମାମଲାର ଶୁଣାଣି ସମୟରେ ପ୍ରଧାନ ବିଚାରପତି (CJI) ସୂର୍ଯ୍ୟକାନ୍ତ ଏକ ଏକ ପ୍ରାଚୀନ ଢଗ ବ୍ୟବହାର କରି କହିଥିଲେ ଯେ, 'ମାଛି ମାରିବା ପାଇଁ କେହି ହାତୁଡ଼ି ବ୍ୟବହାର କରନ୍ତି ନାହିଁ'। ଅଦାଲତର ଏହି ମନ୍ତବ୍ୟ ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ଏବଂ ଯୁବପିଢ଼ି ଏହାକୁ ଏକ ଭିନ୍ନ ରୂପ ଦେଇ 'ମାଛି ଜନତା ପାର୍ଟି' ଗଠନ କରିଛନ୍ତି।
୭୨ ଘଣ୍ଟାରେ ଲକ୍ଷାଧିକ ଫଲୋଅର୍ସ
ଇନଷ୍ଟାଗ୍ରାମ ଏବଂ ଅନ୍ୟାନ୍ୟ ସୋସିଆଲ ପ୍ଲାଟଫର୍ମରେ ଏହି ପେଜ୍ଟି ଗଠନ ହେବା ପରେ ମାତ୍ର ୩ ଦିନ ଭିତରେ ଏହାକୁ ୪୦ ଲକ୍ଷରୁ ଅଧିକ ଭ୍ୟୁ ଏବଂ ୩.୩ ଲକ୍ଷରୁ ଅଧିକ ଫଲୋଅର୍ସ ମିଳିସାରିଛନ୍ତି। ସୋସିଆଲ ମିଡିଆ ପ୍ରୋଫାଇଲ୍ ଅନୁସାରେ, ଆର୍ଯ୍ୟନ୍ ନାମକ ଜଣେ ଯୁବକଙ୍କୁ ଏହି ଅଭିନବ ସଂଗଠନର ପ୍ରତିଷ୍ଠାତା ଭାବେ ଦର୍ଶାଯାଇଛି। ବର୍ତ୍ତମାନ ଏହି ମଞ୍ଚ ସେମାନଙ୍କର ପ୍ରବକ୍ତା ଖୋଜୁଥିବା ନେଇ ମଧ୍ୟ ସୂଚନା ଦେଇଛନ୍ତି।
ପୂର୍ବରୁ ରହିଛି 'କକ୍ରୋଚ୍ ଜନତା ପାର୍ଟି' (CJP)
ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ମଧ୍ୟ ଏଭଳି ଏକ ବ୍ୟଙ୍ଗାତ୍ମକ ସଂଗଠନ 'କକ୍ରୋଚ୍ ଜନତା ପାର୍ଟି' (CJP) ସାମ୍ନାକୁ ଆସିଥିଲା, ଯାହାକି ଯୁବକମାନଙ୍କ ମଧ୍ୟରେ ସରକାରୀ ନୀତି ଏବଂ ଉତ୍ତରଦାୟୀତ୍ୱକୁ ନେଇ ପ୍ରଶ୍ନ ଉଠାଇବାର ଏକ ବଡ଼ ମଞ୍ଚ ପାଲଟିଥିଲା। ବର୍ତ୍ତମାନ 'ମାଛି ଜନତା ପାର୍ଟି' (MJP) ପକ୍ଷରୁ ସେହି ପୁରୁଣା ସଂଗଠନ ସହିତ ମିଶି କାର୍ଯ୍ୟ କରିବା ଏବଂ ଗଣତାନ୍ତ୍ରିକ ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିବା ନେଇ ଆଲୋଚନା ଚାଲିଛି।