ନୂଆଦିଲ୍ଲୀ: ଦିଲ୍ଲୀର ରାଜନୈତିକ ପାଣିପାଗ ଏବେ ସରଗରମ ରହିଛି। 'କକରୋଚ ଜନତା ପାର୍ଟି' (CJP)ର ନେତା ସୌରଭ ଦାସ, ଆଶୁତୋଷ ରାଙ୍କା ଏବଂ ସେମାନଙ୍କ ସହଯୋଗୀଙ୍କ ବିରୋଧରେ ଦିଲ୍ଲୀ ପୋଲିସ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଜନ୍ତରମନ୍ତରର କଟକଣା ଏବଂ ସୁରକ୍ଷା ବଳୟକୁ ଭାଙ୍ଗି ଗେଟ୍ ଅତିକ୍ରମ କରି ଭିତରକୁ ପ୍ରବେଶ କରିବା ଅଭିଯୋଗରେ ପୋଲିସ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଛି।
ମଙ୍ଗଳବାର ସିଜେପି ସମର୍ଥକ ଏବଂ ନେତାମାନେ ହଠାତ୍ ଜନ୍ତରମନ୍ତର ପରିସରରେ ପହଞ୍ଚି ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରି ଜୋରଦାର ନାରାବାଜି କରିଥିଲେ। ସୂଚନାଯୋଗ୍ୟ ଯେ ଜନ୍ତରମନ୍ତର ଅଞ୍ଚଳକୁ ଆନୁଷ୍ଠାନିକ ଭାବେ ପ୍ରୋଟେଷ୍ଟ ସାଇଟ୍ (ପ୍ରଦର୍ଶନ ସ୍ଥଳ) ତାଲିକାରୁ ବାଦ୍ ଦିଆଯାଇଛି।
ପ୍ରଦର୍ଶନକାରୀମାନେ ଜନ୍ତରମନ୍ତର ରୋଡ୍ ନଂ-୭ ସ୍ଥିତ ଏକ କୋଠା ଏବଂ ସଂଲଗ୍ନ ଜେଡିୟୁ (JDU) କାର୍ଯ୍ୟାଳୟ ପାଖାପାଖି ଅଞ୍ଚଳରୁ ଗେଟ୍ ଡେଇଁ ଭିତରକୁ ପଶିଥିଲେ। ଏହାପରେ ପୋଲିସ ତୁରନ୍ତ ସେମାନଙ୍କୁ ନିଜ ହେପାଜତକୁ ନେଇଥିଲା। ବର୍ତ୍ତମାନ ଏହି ସମସ୍ତ ନେତାଙ୍କୁ ଜାଫରପୁର ଥାନାରେ ରଖାଯାଇଥିବା ଜଣାପଡ଼ିଛି।
ଅଭିଜିତ ଦୀପକେଙ୍କ କଡ଼ା ପ୍ରତିକ୍ରିୟା
ନେତାମାନଙ୍କୁ ପୋଲିସ ଅଟକ ରଖିବା ଘଟଣାକୁ ନେଇ ସିଜେପି ସମର୍ଥକମାନେ ତୀବ୍ର ପ୍ରତିବାଦ କରିଛନ୍ତି। ସଙ୍ଗଠନର ଅନ୍ୟତମ ପ୍ରମୁଖ ଚେହେରା ଅଭିଜିତ ଦୀପକେ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ପୋଷ୍ଟ କରି ଦିଲ୍ଲୀ ପୋଲିସକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, "ବର୍ତ୍ତମାନ ମଧ୍ୟ ସିଜେପିର ନେତାମାନେ ବେଆଇନ ଭାବେ ଅଟକ ରହିଛନ୍ତି। ଦିଲ୍ଲୀ ପୋଲିସ ଏବେ ଶାହଙ୍କ କିଡ୍ନାପର୍ (ଅପହରଣକାରୀ) ପାଲଟିଯାଇଛି।"