ନୂଆଦିଲ୍ଲୀ: ପ୍ରଥମ ଥର ଭାରତରେ ଆୟୋଜିତ ହେଉଥିବା 'ବ୍ଲୁମବର୍ଗ ନ୍ୟୁ ଏନର୍ଜି ଫୋରମ୍' ଉଦଘାଟିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋରମରେ ଯୋଗ ଦେଇ ସମ୍ବୋଧିତ କରିଛନ୍ତି । ଭାରତ ଗଣତନ୍ତ୍ରର ଜନନୀ ବୋଲି କହିଛନ୍ତି ପ୍ରଧାନ ମନ୍ତ୍ରୀ । ଭାରତର ସୁଦୃଢ଼ ହେଉଥିବା ଅର୍ଥନୈତିକ ସ୍ଥିତି ଉପରେ ସମଗ୍ର ବିଶ୍ୱର ନଜର ରହିଛି। ବିଶ୍ୱ ଅର୍ଥନୀତି, ବ୍ୟବସାୟ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଏକତ୍ରିତ କରୁଥିବା ଏହି ପ୍ରତିଷ୍ଠିତ ମଞ୍ଚ ଭାରତୀୟ ମାଟିରେ ଆୟୋଜିତ ହେବାର ଏହା ପ୍ରଥମ ଘଟଣା।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ 'ବ୍ଲୁମବର୍ଗ ନ୍ୟୁ ଇକୋନୋମି ଫୋରମ୍' ପ୍ରତିବର୍ଷ ବିଶ୍ୱର ଶ୍ରେଷ୍ଠ ଚିନ୍ତାନାୟକମାନଙ୍କୁ ଏକ ମଞ୍ଚରେ ଏକତ୍ରିତ କରିଥାଏ। ଭାରତରେ ପ୍ରଥମ ଥର ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସେ ବ୍ଲୁମବର୍ଗ ଏବଂ ଏହାର ଦଳକୁ ଅଭିନନ୍ଦନ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତ ହେଉଛି ଗଣତନ୍ତ୍ରର ଜନନୀ। ଏହି ଦେଶରେ ୧୦୦ରୁ ଅଧିକ ଭାଷା, ପ୍ରାୟ ୮୦,୦୦୦ ପଞ୍ଜୀକୃତ ଖବରକାଗଜ ଓ ପ୍ରକାଶନ ଏବଂ ୧,୦୦୦ରୁ ଅଧିକ ସାଟେଲାଇଟ୍ ଟିଭି ଚ୍ୟାନେଲ ରହିଛି। ଏହା ବ୍ୟତୀତ, ସୋସିଆଲ୍ ମିଡିଆର ଏହି ଯୁଗରେ ଭାରତରେ ବହୁ ସଂଖ୍ୟକ ବ୍ୟବହାରକାରୀ ରହିଛନ୍ତି, ଯେଉଁଥିରେ ୫୦ କୋଟି ଅଧିକ ୟୁଟ୍ୟୁବ୍ (YouTube) ବ୍ୟବହାରକାରୀ ସାମିଲ ଅଛନ୍ତି। ଏଠାରେ ବିଭିନ୍ନ ଆଧ୍ୟାତ୍ମିକ ସମ୍ପ୍ରଦାୟ ଓ ମତବାଦକୁ ନେଇ ସାମୂହିକ ଆଲୋଚନା ହୋଇଥାଏ ଏବଂ ଏଥିରେ ଡିଜିଟାଲ୍ ଶକ୍ତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।
ବ୍ଲୁମବର୍ଗ ନ୍ୟୁ ଏନର୍ଜି ଫୋରମ୍ରେ ପ୍ରଧାନମନ୍ତ୍ରୀ ମୋଦୀ ବିଦେଶୀ ଅତିଥିମାନଙ୍କୁ ଭାରତର ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥା (ଡିଜିଟାଲ୍ ଦେୟ ବ୍ୟବସ୍ଥା)ର ଅନୁଭବ ନେବାକୁ ଆମନ୍ତ୍ରଣ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରାସ୍ତାକଡ଼ର ବିକ୍ରେତା ଏବଂ କାର୍ ଶୋ’ରୁମ୍ର ବ୍ୟବସାୟିକ ପରିସର ମଧ୍ୟରେ ବହୁତ ପାର୍ଥକ୍ୟ ଥିଲେ ମଧ୍ୟ, ଭାରତରେ ଉଭୟ ସମାନ ଡିଜିଟାଲ୍ ପେମେଣ୍ଟ ପ୍ଲାଟଫର୍ମ ବ୍ୟବହାର କରୁଛନ୍ତି। ଏହା ସମାବେଶୀ ପ୍ରଯୁକ୍ତିବିଦ୍ୟାର ଶକ୍ତିକୁ ପ୍ରମାଣିତ କରୁଛି।
ସେହିପରି ଜ୍ଞାନ, ସମ୍ପତ୍ତି ଏବଂ କ୍ଷମତା ଧାରଣ କରିଥିବା ବ୍ୟକ୍ତି କିମ୍ବା ଅନୁଷ୍ଠାନଗୁଡ଼ିକ ଏହି ସମ୍ବଳଗୁଡ଼ିକୁ କେଉଁ ଉଦ୍ଦେଶ୍ୟରେ ବ୍ୟବହାର କରୁଛନ୍ତି, ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କ୍ଷମତାର ପ୍ରକୃତ ମୂଲ୍ୟ ଏହାର ଉଚିତ ଉପଯୋଗ ମଧ୍ୟରେ ନିହିତ ଥାଏ। ଭାରତର ପ୍ରାଚୀନ ପରମ୍ପରା ମଧ୍ୟ ଏହି ନୀତି ଶିକ୍ଷା ଦେଇଥାଏ ଏବଂ ଦେଶ ନିଜର ଶାସନ ତଥା କାର୍ଯ୍ୟଶୈଳୀରେ ଏହି ଦର୍ଶନକୁ ଅନ୍ତର୍ଭୁକ୍ତ କରିବାକୁ ପ୍ରୟାସ କରିଆସିଛି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ପ୍ରକୃତ ପ୍ରଶ୍ନ ହେଉଛି କାହା ହାତରେ କ୍ଷମତା ଅଛି ତାହା ନୁହେଁ, ବରଂ ଏହାର ଉପଯୋଗ କିପରି କରାଯାଉଛି । ଯଦି ପ୍ରଯୁକ୍ତିବିଦ୍ୟାର ଲାଭ କେବଳ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ସୀମିତ ରହେ, ତେବେ ଏହାର ଉଦ୍ଦେଶ୍ୟ ଅପୂର୍ଣ୍ଣ ରହିଯାଏ। ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବା ଏବଂ ସେମାନଙ୍କର କ୍ଷମତା ବୃଦ୍ଧି କରିବା ଏହାର ପ୍ରକୃତ ଲକ୍ଷ୍ୟ ହେବା ଉଚିତ ।
ଆଜି ପ୍ରଯୁକ୍ତିବିଦ୍ୟା, ତଥ୍ୟ (ଡାଟା), ଜ୍ଞାନ ଏବଂ ନବସୃଜନ ଶକ୍ତିଶାଳୀ ଶକ୍ତି ଭାବରେ ଉଭା ହୋଇଛି। ସାଧାରଣ ଲୋକଙ୍କ ଜୀବନରେ ଉନ୍ନତି ଆଣିବା ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସେମାନଙ୍କର ସର୍ବୋଚ୍ଚ କ୍ଷମତା ହାସଲ କରିବା ଦିଗରେ ସଶକ୍ତ କରିବା ପାଇଁ ଏଗୁଡ଼ିକର ଉପଯୋଗ କରିବା ବର୍ତ୍ତମାନ ଅତ୍ୟନ୍ତ ଆବଶ୍ୟକ। ସେ ଏହି ପ୍ରଶ୍ନ ଉଠାଇଥିଲେ ଯେ ପ୍ରଯୁକ୍ତିବିଦ୍ୟା କେବଳ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କର ଉନ୍ନତି ସାଧନ କରେ ନା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରେ। ସେହିଭଳି, ଜ୍ଞାନର ଲାଭ କେବଳ କିଛି ଲୋକଙ୍କ ମଧ୍ୟରେ ସୀମିତ ନ ରହି ସମସ୍ତଙ୍କ କ୍ଷମତା ବୃଦ୍ଧି କରିବାରେ ସହାୟକ ହେବା ଉଚିତ୍।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସରକାରଙ୍କ ପାଖରେ କ୍ଷମତା ଥିଲେ ମଧ୍ୟ, ନାଗରିକମାନଙ୍କୁ ବ୍ୟବସ୍ଥା ଉପରେ ନିର୍ଭରଶୀଳ କରିବା ଏହାର ଲକ୍ଷ୍ୟ ହେବା ଉଚିତ୍ ନୁହେଁ। ଏହା ପରିବର୍ତ୍ତେ, ନାଗରିକମାନଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରିବା ହିଁ ଲକ୍ଷ୍ୟ ହେବା ଉଚିତ୍ ଏବଂ ଭାରତ ସେହି ପଥରେ ହିଁ ଅଗ୍ରସର ହେଉଛି।ଏହି ପଥ ଅନୁସରଣ କରି, ଭାରତ ଗତ ଦଶ ବର୍ଷ ମଧ୍ୟରେ ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟ ସୀମାରୁ ମୁକ୍ତ କରିଛି, ଯାହା ବିଶ୍ୱର ଅନେକ ଦେଶର ମୋଟ ଜନସଂଖ୍ୟା ଠାରୁ ମଧ୍ୟ ଅଧିକ।