ପୁରୀର ବିକାଶ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପୁରୀକୁ ବିଶ୍ୱସ୍ତରୀୟ ଧାର୍ମିକ ଓ ପର୍ଯ୍ୟଟନସ୍ଥଳୀ ଭାବେ ଗଢ଼ିତୋଳିବାକୁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ। ଏଥିପାଇଁ ବିମାନବନ୍ଦର, ଶ୍ରୀଗୁଣ୍ଡିଚା ମନ୍ଦିର, ନୂଆ ରୋଷଶାଳା ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ଗୁରୁତ୍ୱ ଦେଇଛନ୍ତି ସରକାର।
ପୁରୀ ଜିଲ୍ଲାର ବିକାଶମୂଳକ ପ୍ରକଳ୍ପଗୁଡ଼ିକୁ ନେଇ ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ପୁରୀର ବିଭିନ୍ନ ଉନ୍ନୟନ ଓ ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରାଯାଇଛି। ସମସ୍ତ ପ୍ରକଳ୍ପକୁ ଉଚ୍ଚମାନର କରିବା ସହ ସ୍ଥାନୀୟ ଲୋକଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ବୈଠକରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ, ରଘୁନନ୍ଦନ ପାଠାଗାରର ପୁନଃନିର୍ମାଣ ଏବଂ ଶ୍ରୀଜଗନ୍ନାଥ ଇଣ୍ଟରପ୍ରିଟେସନ୍ ସେଣ୍ଟର ସ୍ଥାପନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏହାସହ ଶ୍ରୀଗୁଣ୍ଡିଚା ମନ୍ଦିରର ସାମଗ୍ରିକ ବିକାଶ ଏବଂ ମହାପ୍ରସାଦ ପ୍ରସ୍ତୁତି ପାଇଁ ଏକ ନୂତନ ରୋଷଶାଳା ନିର୍ମାଣ କରାଯିବାକୁ ନିଷ୍ପତ୍ତି ହୋଇଛି।
ସେହିପରି ଶ୍ରୀସେତୁ ନିକଟରେ ବଡ଼ଦାଣ୍ଡର ଉଠାଦୋକାନୀଙ୍କୁ ଥଇଥାନ କରାଯିବ। ପୁରୀର ବିକାଶ କାର୍ଯ୍ୟରେ ସ୍ଥାନୀୟ ସେବାୟତ ଓ ନାଗରିକଙ୍କ ଆବଶ୍ୟକତାକୁ ଗୁରୁତ୍ୱ ଦିଆଯିବ। ଐତିହ୍ୟ ଓ ପରମ୍ପରାକୁ ସୁରକ୍ଷିତ ରଖିବା ସହ ଆଧୁନିକ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱ ରହିବ। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ଶ୍ରୀକ୍ଷେତ୍ରର ସୌନ୍ଦର୍ଯ୍ୟ ବୃଦ୍ଧି ସହ ପର୍ଯ୍ୟଟନ ଓ ଯାତାୟାତ ବ୍ୟବସ୍ଥାକୁ ନୂଆ ଦିଗ ମିଳିବା ଆଶା କରାଯାଉଛି। ଏବେ ନଜର ରହିଛି, କେବେ ଏହି ଯୋଜନାଗୁଡ଼ିକ ମାଟିରେ ବାସ୍ତବ ରୂପ ନେଉଛି।