ଭୁବନେଶ୍ୱର : ଓଡ଼ିଶା ରାଜଭବନକୁ ମିଳିଛନ୍ତି ନୂଆ ସାମ୍ବିଧାନିକ ମୁଖିଆ। ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଡକ୍ଟର ବ୍ରଜମୋହନ ରାମଙ୍କୁ ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ରାଷ୍ଟ୍ରପତି ଭବନ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି। ସେ ଖୁବଶୀଘ୍ର ରାଜ୍ୟପାଳ ଭବନର ଦାୟିତ୍ୱ ଗ୍ରହଣ କରି ଓଡ଼ିଶାର ଶାସନ ଓ ସାମ୍ବିଧାନିକ ବ୍ୟବସ୍ଥାକୁ ସୁଚାରୁରୂପେ ପରିଚାଳନା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ।
ଝାଡ଼ଖଣ୍ଡ ରାଜନୀତିର ଜଣେ ଜଣାଶୁଣା ଚେହେରା ହେଉଛନ୍ତି ଡକ୍ଟର ବ୍ରଜମୋହନ ରାମ। ସେ ପୂର୍ବରୁ ବିହାର ଓ ଝାଡ଼ଖଣ୍ଡ ଅଞ୍ଚଳରେ ଦୀର୍ଘ ବର୍ଷ ଧରି ରାଜନୀତିରେ ସକ୍ରିୟ ରହିଆସିଛନ୍ତି। ଝାଡ଼ଖଣ୍ଡର (ପୂର୍ବତନ ବିହାର) ପଲାମୁ ସଂସଦୀୟ କ୍ଷେତ୍ରରୁ ସେ କ୍ରମାଗତ ୩ ଥର - ୧୯୯୬, ୧୯୯୮ ଏବଂ ୧୯୯୯ ଜେନେରାଲ୍ ଇଲେକ୍ସନରେ ବିଜୟୀ ହୋଇ ଲୋକସଭାକୁ ନିର୍ବାଚିତ ହୋଇଥିଲେ।
ସାଂସଦ ହେବା ପୂର୍ବରୁ ସେ ୧୯୯୧ ରୁ ୧୯୯୫ ପର୍ଯ୍ୟନ୍ତ ବିହାର ବିଧାନସଭାର ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ। ଏହାସହିତ ସେ ଝାଡ଼ଖଣ୍ଡ ବିଜେପି ଏସସି ମୋର୍ଚ୍ଚାର ରାଜ୍ୟ ପ୍ରଭାରୀ ଭାବେ ମଧ୍ୟ ସଂଗଠନକୁ ମଜବୁତ୍ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି।
ତାଙ୍କର ପ୍ରାରମ୍ଭିକ ଜୀବନ ଓ ଶିକ୍ଷାଗତ ଯୋଗ୍ୟତା ବିଷୟରେ କହିବାକୁ ଗଲେ, ୧୯୫୮ ଜାନୁଆରୀ ୧ ତାରିଖରେ ଝାଡ଼ଖଣ୍ଡର ପଲାମୁ ଜିଲ୍ଲାସ୍ଥିତ ଚାନ୍ଦୱାଠାରେ ତାଙ୍କର ଜନ୍ମ ହୋଇଥିଲା। ସେ ଲୋହରଦଗାସ୍ଥିତ ବି.ଏସ୍. କଲେଜରୁ ପାଠପଢ଼ା ଶେଷ କରିବା ପରେ ୧୯୮୧ ମସିହାରେ ରାଞ୍ଚି ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ରାଜନୀତି ସହ ଜଡ଼ିତ ରହିବା ସହ ସେ ପେଷାରେ ଜଣେ କୃଷିବିତ୍।
ରାଜ୍ୟର ବିକାଶ ପ୍ରକ୍ରିୟାକୁ ଆଗକୁ ନେବା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁରକ୍ଷିତ ରଖିବାରେ ତାଙ୍କର ଦୀର୍ଘ ଦିନର ପ୍ରଶାସନିକ ଓ ରାଜନୈତିକ ଅଭିଜ୍ଞତା ଓଡ଼ିଶା ପାଇଁ ବେଶ୍ ସହାୟକ ହେବ ବୋଲି ଆଶା କରାଯାଉଛି।