ଭୁବନେଶ୍ୱର : ସୋମବାର ପୁରୀ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ଓ କାୟାକଳ୍ପ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏକ ଉଚ୍ଚସ୍ତରୀୟ ବୈଠକରେ ପୁରୀର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଲୋକ ସେବା ଭବନଠାରେ ଅନୁଷ୍ଠିତ ଏହି ବୈଠକରେ ପୁରୀକୁ ଏକ ବିଶ୍ୱସ୍ତରୀୟ ଐତିହ୍ୟ ଓ ପର୍ଯ୍ୟଟନ ସ୍ଥଳୀ ଭାବେ ଗଢ଼ିତୋଳିବା ସହ ସମସ୍ତ ପ୍ରକଳ୍ପକୁ ସମୟସୀମା ମଧ୍ୟରେ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବିକାଶ କାର୍ଯ୍ୟରେ କୌଣସି ପ୍ରକାରର ଅବହେଳା କିମ୍ବା ବିଳମ୍ବକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।
ପୁରୀରେ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଆନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଅଧିକାରୀମାନଙ୍କୁ କୁହାଯାଇଛି । ଅବଢ଼ା ଯୋଜନା ଅଧୀନରେ ଚାଲିଥିବା ଜଗନ୍ନାଥ ବଲ୍ଲଭ ପିଲ୍ଗ୍ରିମ୍ ସେଣ୍ଟର, ମାର୍କେଟ କମ୍ପ୍ଲେକ୍ସ, ଶ୍ରୀସେତୁ ଏବଂ ମୁସା ନଦୀର ସଂପ୍ରସାରଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଛି । ଏହି ପ୍ରକଳ୍ପଗୁଡ଼ିକ ପାଇଁ ନିକଟରେ ସରକାର ୧୦୦.୮୩ କୋଟି ଟଙ୍କାର ଅତିରିକ୍ତ ଅନୁଦାନ ମଞ୍ଜୁର କରିଛନ୍ତି, ଯାହାଦ୍ୱାରା ମୋଟ ବଜେଟ୍ ୬୫୮.୦୩ କୋଟି ଟଙ୍କାକୁ ବୃଦ୍ଧି ପାଇଛି ।
ସେହିପରି ଐତିହାସିକ ରଘୁନନ୍ଦନ ପାଠାଗାରର ପୁନଃନିର୍ମାଣ ଏବଂ ଶ୍ରୀଜଗନ୍ନାଥ ଇଣ୍ଟରପ୍ରେଟେସନ ସେଣ୍ଟର ପ୍ରତିଷ୍ଠା କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସତ୍ୟବାଦୀ ବନବିଦ୍ୟାଳୟକୁ ପୁରାତନ ଗୁରୁକୁଳ ଶିକ୍ଷା ପଦ୍ଧତି ଆଧାରରେ ପୁନରୁଦ୍ଧାର କରାଯିବା ସହ ଏହାର ବକୁଳବନର ମଧ୍ୟ ପୁନରୁଦ୍ଧାର କରାଯାଉଛି । ଐତିହାସିକ ଅଠରନଳା ନିକଟରେ ଏକ ଆଇକନିକ୍ ହେରିଟେଜ୍ ବ୍ରିଜ୍ର ପୁନଃନିର୍ମାଣ କରାଯିବ ।
ପ୍ରସିଦ୍ଧ ଅନ୍ନପୂର୍ଣ୍ଣା ଥିଏଟରର ପୁନଃବିକାଶ ଏବଂ ପୁରୀ ବେଳାଭୂମିର ସୌନ୍ଦର୍ଯ୍ୟକରଣ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଛି । ସ୍ୱର୍ଗଦ୍ୱାରର ସାମଗ୍ରିକ ଉନ୍ନତିକରଣ ସହ ମହାପ୍ରଭୁଙ୍କ 'ସାଗର ବିଜେ' ନୀତିର ସୁପରିଚାଳନା ଏବଂ ସନ୍ଧ୍ୟା ଆଳତି ଆଦି ବ୍ୟବସ୍ଥା ନେଇ ଆଲୋଚନା ହୋଇଛି ।
ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ ଦେଇ କହିଛନ୍ତି ଯେ ପୁରୀ କେବଳ ଏକ ଜିଲ୍ଲା ନୁହେଁ, ବରଂ ଏହା ଓଡ଼ିଶାର ଅସ୍ମିତା ଏବଂ ସାରା ବିଶ୍ୱର ଜଗନ୍ନାଥ ପ୍ରେମୀଙ୍କ ଆସ୍ଥାର କେନ୍ଦ୍ରବିନ୍ଦୁ ଅଟେ । ତେଣୁ ସ୍ଥାନୀୟ ଲୋକଙ୍କ ସୁବିଧା ଓ ଶ୍ରୀଜଗନ୍ନାଥ ସଂସ୍କୃତିର ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖି ଏକ ବୈଶ୍ୱିକ ଦୂରଦୃଷ୍ଟି ସହ ସମସ୍ତ ବିକାଶମୂଳକ କାର୍ଯ୍ୟ କରାଯିବ ।