ନବରଙ୍ଗପୁର: ବହୁଚର୍ଚ୍ଚିତ ନବରଙ୍ଗପୁର ଦୁଷ୍କର୍ମ ମାମଲାରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଏକ ବଡ଼ ରାୟ ଶୁଣାଇଛନ୍ତି। ଅଭିଯୁକ୍ତ ଡେଭିଡ୍ ଗରଡ଼ାଙ୍କୁ ୨୦ ବର୍ଷର ସଶ୍ରମ କାରାଦଣ୍ଡ ସହ ୩୦ ହଜାର ଟଙ୍କା ଜରିମାନା ହୋଇଛି। ଜରିମାନା ଅନାଦାୟରେ ଅତିରିକ୍ତ ଏକ ବର୍ଷ ଜେଲ୍ ଦଣ୍ଡର ନିର୍ଦ୍ଦେଶ ରହିଛି। ଏଥିସହ ପୀଡ଼ିତାଙ୍କୁ ୭ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ (DLSA)କୁ ନିର୍ଦ୍ଦେଶ ଦିଆଯାଇଛି।
କାଉନସେଲିଂ ନାଁରେ ଘନିଷ୍ଠତା, ପରେ ଦୁଷ୍କର୍ମ ଅଭିଯୋଗ
ମାମଲାର ବିବରଣୀ ଅନୁଯାୟୀ, ଅଭିଯୁକ୍ତ ଡେଭିଡ୍ ଗରଡ଼ା ପୀଡ଼ିତାଙ୍କ ବାପାଙ୍କ ଅଧୀନରେ ସାଉଣ୍ଡ ସିଷ୍ଟମ୍ ଅପରେଟର ଭାବେ କାମ କରୁଥିଲେ। ଏହି ସମ୍ପର୍କରେ ସେ ପରିବାରର ନିକଟତର ହୋଇଥିଲେ। ପରେ ମାନସିକ ପରାମର୍ଶ ଦେବା ବାହାନାରେ ପୀଡ଼ିତାଙ୍କ ସହ ଘନିଷ୍ଠତା ବଢ଼ାଇଥିବା ଅଭିଯୋଗ ହୋଇଥିଲା।
ଅଭିଯୋଗ ଅନୁସାରେ, ମାର୍ଚ୍ଚ ୨୦୨୫ରେ ପୀଡ଼ିତା ଘରେ ଏକୁଟିଆ ଥିବା ସମୟରେ ଅଭିଯୁକ୍ତ ତାଙ୍କୁ ଦୁଷ୍କର୍ମ କରିଥିଲେ ଏବଂ ଘଟଣା ବିଷୟରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗରେ ଉଲ୍ଲେଖ ରହିଛି।
ଭୁବନେଶ୍ୱରରେ ପଢ଼ୁଥିବା ସମୟରେ ବି ହଇରାଣ ଅଭିଯୋଗ
ପୀଡ଼ିତା ଉଚ୍ଚଶିକ୍ଷା ପାଇଁ ଭୁବନେଶ୍ୱର ଯିବା ପରେ ମଧ୍ୟ ଅଭିଯୁକ୍ତ ତାଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଥିଲା। ସେପ୍ଟେମ୍ବର ୨୦୨୫ରେ ବିବାହ କଲେ ସମସ୍ୟାର ସମାଧାନ ହୋଇଯିବ ବୋଲି କହି କିଛି କାଗଜପତ୍ରରେ ଦସ୍ତଖତ କରାଇଥିବା ଅଭିଯୋଗ ମଧ୍ୟ ରହିଛି। ପରବର୍ତ୍ତୀ ସମୟରେ ପୀଡ଼ିତାଙ୍କ ବ୍ୟକ୍ତିଗତ ଫଟୋ ସୋସିଆଲ ମିଡିଆରେ ପ୍ରକାଶ କରିବାକୁ ଧମକ ଦେବା ସହ ଇନଷ୍ଟାଗ୍ରାମରେ ତାଙ୍କ ପିତାମାତାଙ୍କ ବ୍ୟକ୍ତିଗତ ଫଟୋ ପୋଷ୍ଟ କରିଥିବା ଅଭିଯୋଗ ହୋଇଥିଲା।
୧୮ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ରାୟ
ପୀଡ଼ିତାଙ୍କ ଲିଖିତ ଅଭିଯୋଗ ପରେ ୩୧ ଅକ୍ଟୋବର ୨୦୨୫ରେ ନବରଙ୍ଗପୁର ଥାନାରେ କେସ୍ ନମ୍ବର ୪୬/୨୫ ରୁଜୁ ହୋଇଥିଲା। ପୋଲିସ POCSO ଆଇନ ଅନୁଯାୟୀ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ୧୮ ଜଣ ସାକ୍ଷୀଙ୍କ ବୟାନ ଓ ଅନ୍ୟ ପ୍ରମାଣକୁ ଯାଞ୍ଚ କରିବା ପରେ ବିଚାରପତି ଏହି ରାୟ ଶୁଣାଇଥିଲେ।