ଯାଜପୁର : ଆରମ୍ଭ ହୋଇଯାଇଛି ବିଭିନ୍ନ ଶକ୍ତିପୀଠରେ ନବରାତ୍ର ପୂଜା । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ପୀଠରେ ମଧ୍ୟ ଏହା ଖୁବ୍ ଜାକଜମକରେ ଆରମ୍ଭ ହୋଇଛି । ମା'ଙ୍କ ପାଦ ଦର୍ଶନ ପାଇଁ ବଡି ଭୋରୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଜମୁଛି ।ମାଆ ବିରଜା ଦ୍ୱିଭୁଜା ଦୁର୍ଗା ରୂପରେ ପୂଜା ପାଆନ୍ତି ।ନବଦିନାତ୍ମକ ପୂଜାରେ ସ୍ୱତନ୍ତ୍ରତା ହେଉଛି ମା'ଙ୍କ ନବଦିନାତ୍ମକ ରଥଯାତ୍ରା ପରମ୍ପରା । ଶାରଦୀୟ ଦୁର୍ଗୋତ୍ସବ ଅବସରରେ ଆଶ୍ୱିନ ମାସରେ ଏହି ରଥଯାତ୍ରା ହୋଇଥାଏ। ରଥଯାତ୍ରାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ବିରଜା କ୍ଷେତ୍ର ।ସିଂହଧ୍ବଜ ରଥରେ ଆସିବେ ମାଆ ବିରଜା । ରଥ ଉପରେ ହେବ ନବଦିନ ଷୋଡ଼ଶ ଉପଚାର । ଶୁଭ ସୁନିଆଁ ଠାରୁ ବିଲ୍ୱବରଣୀ ହୋଇ ରଥଖଳାରେ ଆରମ୍ଭ ହୋଇଛି ରଥ ନିର୍ମାଣ କାର୍ଯ୍ୟ ।
ଅପରାହ୍ନରେ ମଧ୍ୟ ରଥ ଟାଣିବା ଓ ରଥରେ ମାଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ମନରେ ପ୍ରବଳ ଉତ୍ସାହ ରହିଛି । ବିଶ୍ୱାସ ରହିଛି ମା'ଙ୍କ ରଥଯାତ୍ରା ଓ ପାଦଦର୍ଶନ କଲେ କୋଟି ଜନ୍ମର ପାପ କ୍ଷୟ ହୁଏ । ସାରା ବିଶ୍ୱରେ କୌଣସି ଶକ୍ତିପୀଠରେ ରଥଯାତ୍ରା ପରମ୍ପରା ନଥିବା ବେଳେ କେବଳ ଯାଜପୁରର ମା' ବିରଜା ପୀଠରେ ଏହି ସ୍ବତନ୍ତ୍ର ପରମ୍ପରା ରହିଛି ।
ପରମ୍ପରା ଅନୁସାରେ ମାଆ ମନ୍ଦିର ଭିତରୁ ଆସି ରଥରେ ୯ ଦିନ ଧରି ବିରାଜମାନ ହୁଅନ୍ତି । ପ୍ରତେକ ଦିନ ବେଢା ପରିକ୍ରମା କରିବା ପରେ ପୁଣି ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତି । ଏଭଳି ପରମ୍ପରା ବିଶ୍ୱର ଆଉ କୌଣସି ଶକ୍ତି ପୀଠରେ ଦେଖିବାକୁ ମିଳେନାହିଁ l
ରଥ ନିର୍ମାଣ କାମରେ ୮ରୁ ୧୦ ଜଣ ମହାରଣା କାରିଗର ପ୍ରସ୍ତୁତିରେ ଲାଗିଛନ୍ତି। ଦେବୀଙ୍କ ଏହି ୧୨ ଚକ ବିଶିଷ୍ଟ ରଥରେ ୮୯୮ ଖଣ୍ଡ କାଠ ବ୍ୟବହାର କରାଯାଉଥିବାବେଳେ ରଥରେ ନବଗ୍ରହ,ଦଶଦିଗପାଳ ରହିଛନ୍ତି । ଯାହାକି ସ୍ୱୟଂ ବ୍ରହ୍ମାଂ ହିଁ ରଥର ସାରଥୀ ସାଜିଥାନ୍ତି । ରଥର ଉଚ୍ଚତା ୫୬ ଫୁଟ ହୋଇଥିବା ବେଳେ ମାଙ୍କ ରଥଯାତ୍ରା ବିଶ୍ୱରେ ବିରଳ ଅଟେ । ଶାନ୍ତିପୂର୍ଣ୍ଣ ରଥଯାତ୍ରା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥାର ଆୟୋଜନ କରାଯାଇଛି ।
ମା’ ବିରଜାଙ୍କ ପ୍ରସିଦ୍ଧ ବିଜୟା ରଥଯାତ୍ରାକୁ ନେଇ ଭକ୍ତଙ୍କ ମଧ୍ୟରେ ଉତ୍କଣ୍ଠା ରହିଛି । ମାଙ୍କୁ ରଥରେ ଦର୍ଶନ କରି ଆଶିଷ ଭିକ୍ଷା ପାଇଁ ଅପେକ୍ଷା କରିଛନ୍ତି ଶ୍ରଦ୍ଧାଳୁ ।