ଭୁବନେଶ୍ୱର:ବିଶ୍ୱ ପାଣିପାଗରେ ପୁଣି ଥରେ ବଡ଼ ଧରଣର ପରିବର୍ତ୍ତନର ଆଶଙ୍କା ଦେଖାଦେଇଛି। କ୍ରମାଗତ ଭାବେ ଶକ୍ତିଶାଳୀ ହେବାରେ ଲାଗିଛି ‘ଏଲ୍ ନିନୋ’ । ୨୦୨୬ ବର୍ଷ ଶେଷ ସୁଦ୍ଧା ଏହା ଅତ୍ୟନ୍ତ ତୀବ୍ର ରୂପ ଧାରଣ କରିପାରେ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି।
ଅମେରିକାର ପ୍ରସିଦ୍ଧ ପାଣିପାଗ ସଂସ୍ଥା NOAA (ନ୍ୟାସନାଲ୍ ଓସେନିକ୍ ଆଣ୍ଡ୍ ଆଟମୋସଫେରିକ୍ ଆଡମିନିଷ୍ଟ୍ରେସନ୍)ର ନିକଟତର ରିପୋର୍ଟ ଅନୁସାରେ, ପ୍ରଶାନ୍ତ ମହାସାଗରର ‘ନିନୋ ୩.୪’ ଅଞ୍ଚଳରେ ସମୁଦ୍ର ପୃଷ୍ଠର ତାପମାତ୍ରା ସାଧାରଣ ଅପେକ୍ଷା ୨.୧ ଡିଗ୍ରୀ ସେଲସିୟସ୍ ଅଧିକ ରହିଛି। ଗତ ଜୁଲାଇ ଓ ଅଗଷ୍ଟ ମାସ ତୁଳନାରେ ଏହି ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଉଛି। ପ୍ରଶାନ୍ତ ମହାସାଗରର କେତେକ ପୂର୍ବ ଭାଗରେ ସମୁଦ୍ର ଜଳର ତାପମାତ୍ରା ସ୍ୱାଭାବିକଠାରୁ ୩.୯ ରୁ ୪ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ବେଳେ ଗଭୀରତାରେ ଏହା ୧୦ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରେକର୍ଡ କରାଯାଇଛି।
ଭାଙ୍ଗିପାରେ ବିଗତ ୭୫ ବର୍ଷର ରେକର୍ଡ!
ପାଣିପାଗ ଆକଳନ ଅନୁଯାୟୀ, ଅକ୍ଟୋବରରୁ ଡିସେମ୍ବର ୨୦୨୬ ମଧ୍ୟରେ ଏଲ୍ ନିନୋର ତୀବ୍ରତା ସୂଚକାଙ୍କ (RONI) +୨.୫ ଡିଗ୍ରୀ ସେଲସିୟସ୍ କିମ୍ବା ତା’ଠାରୁ ଅଧିକ ହେବାର ୮୩ ପ୍ରତିଶତ ସମ୍ଭାବନା ରହିଛି। ଯଦି ଏପରି ହୁଏ, ତେବେ ୧୯୫୦ ମସିହା ପରଠାରୁ ରେକର୍ଡ କରାଯାଇଥିବା ସମସ୍ତ ବିପଜ୍ଜନକ ଏଲ୍ ନିନୋ ଘଟଣାକୁ ଏହା ପଛରେ ପକାଇଦେବ। ୨୦୨୬ ଡିସେମ୍ବରରେ ଏହା ସର୍ବାଧିକ ଶିଖରରେ ପହଞ୍ଚିବା ପରେ, ୨୦୨୭ ମସିହା ଜାନୁଆରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରଭାବୀ ରହିବ ଏବଂ ଏପ୍ରିଲରୁ ଜୁଲାଇ ମଧ୍ୟରେ ସ୍ୱାଭାବିକ ଅବସ୍ଥାକୁ ଫେରିବ।
ଭାରତୀୟ ପାଣିପାଗ ଉପରେ କି ପ୍ରଭାବ ପଡ଼ିବ?
ସାଧାରଣତଃ ଏଲ୍ ନିନୋ ସକ୍ରିୟ ରହିଲେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହୋଇ ବର୍ଷାର ପରିମାଣ କମିଯାଏ। ତେବେ ଉତ୍ତର-ପୂର୍ବ ମୌସୁମୀ ଉପରେ ଏହାର ଭିନ୍ନ ପ୍ରଭାବ ଦେଖିବାକୁ ମିଳେ, ଅକ୍ଟୋବର-ଡିସେମ୍ବର ମଧ୍ୟରେ ତାମିଲନାଡୁ ସହ ଦକ୍ଷିଣ ଭାରତରେ ଭଲ ବର୍ଷା ହେବାର ଆଶା ରହିଛି। ଚଳିତ ଶୀତ ତୁରେ ଦେଶର ଅନେକ ଅଞ୍ଚଳରେ ସାଧାରଣଠାରୁ ଅଧିକ ଉତ୍ତାପ ଅନୁଭୂତ ହୋଇପାରେ। ଭାରତ ମହାସାଗରୀୟ ଦୋଳନ (IOD) ଏବଂ ମ୍ୟାଡେନ୍-ଜୁଲିଆନ୍ ଦୋଳନ (MJO) ର ଗତିପଥ ଉପରେ ମଧ୍ୟ ବାସ୍ତବ ବର୍ଷାର ପରିମାଣ ନିର୍ଭର କରିବ।
ଓଡ଼ିଶା ପାଇଁ କ’ଣ ରହିଛି ଆକଳନ?
ଓଡ଼ିଶାରେ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ହେଉଥିବା ବର୍ଷା ମୁଖ୍ୟତଃ ମୌସୁମୀର ପ୍ରତ୍ୟାବର୍ତ୍ତନ ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ, ଅବପାତ କିମ୍ବା ସାମୁଦ୍ରିକ ଝଡ଼ (ବାତ୍ୟା) ଉପରେ ନିର୍ଭର କରେ। ଏଲ୍ ନିନୋ ଅତ୍ୟନ୍ତ ସକ୍ରିୟ ଥିଲେ ମଧ୍ୟ ବଙ୍ଗୋପସାଗରରେ ବାତ୍ୟା କିମ୍ବା ଓଡ଼ିଶାରେ ଭାରି ବର୍ଷା ସମ୍ପୂର୍ଣ୍ଣ ବନ୍ଦ ହୁଏନାହିଁ। ଶୀତଦିନେ ଉତ୍ତାପ ଅଧିକ ରହିଲେ ଏବଂ ଦୀର୍ଘଦିନ ଧରି ବର୍ଷା ନହେଲେ ମାଟିରୁ ଜଳୀୟବାଷ୍ପ ଶୀଘ୍ର ଉଡ଼ିଯିବ। ଫଳରେ ରବି ଫସଲ ପାଇଁ ଅଧିକ ଜଳସେଚନର ଆବଶ୍ୟକତା ପଡ଼ିବ।