କେନ୍ଦୁଝର: ନଦୀକୁ ଗାଧୋଇବାକୁ ଯାଇଥିଲେ ୩ ନାବାଳକ। ହେଲେ ଘଟିଗଲା ଅଘଟଣ। ପାଣିରେ ବୁଡ଼ି ଜଣେ ନାବାଳକଙ୍କ ଜୀବନ ଚାଲିଯାଇଥିବାବେଳେ ଆଉ ଜଣେ ଏବେ ବି ନିଖୋଜ ଅଛନ୍ତି। ତୃତୀୟ ନାବାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଅନ୍ତର୍ଗତ ତେଲି ଅର୍ଶଳା ଗାଁର ମୁସଲିମ ବସ୍ତିରେ ଏହି ଦୁଃଖଦ ଘଟଣା ଘଟିଛି।
ସୂଚନା ଅନୁସାରେ, ଗାଁର ମହମ୍ମଦ ମହିବୁର ରହେମନଙ୍କ ଦୁଇ ନାବାଳକ ପୁଅ ଓ ଅନ୍ୟ ଜଣେ ନାବାଳକ ଆରଡେଇ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ତେବେ ନଦୀରେ ଗାଧୋଉଥିବା ସମୟରେ ତିନି ଜଣ ଯାକ ବୁଡ଼ି ଯାଇଥିଲେ। ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା।
ଖବର ପାଇ ଝୁମ୍ପୁରା ପୁଲିସ ଓ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନଦୀରେ ଖୋଜାଖୋଜି ଆରମ୍ଭ କରିଥିଲେ। ଉଦ୍ଧାର କାର୍ଯ୍ୟ ସମୟରେ ମହମ୍ମଦ ମହିବୁର ରହେମନଙ୍କ ସାନ ପୁଅର ମୃତଦେହ ମିଳିଥିଲା। ଅନ୍ୟ ଜଣେ ନାବାଳକଙ୍କୁ ଗୁରୁତର ଅବସ୍ଥାରେ ନଦୀରୁ ବାହାର କରାଯାଇଥିଲା।
ହେଲେ ମହମ୍ମଦ ମହିବୁରଙ୍କ ବଡ଼ ପୁଅ ଅହମ୍ମଦଙ୍କ ଏଯାଏଁ କୌଣସି ଖୋଜଖବର ମିଳିନାହିଁ। ନିଖୋଜ ନାବାଳକଙ୍କୁ ଠାବ କରିବା ପାଇଁ ଉଦ୍ଧାରକାରୀ ଦଳ ତଲାସୀ ଜାରି ରଖିଛନ୍ତି।
ଗୋଟିଏ ପରିବାରର ଦୁଇ ପୁଅଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଓ ଅନ୍ୟ ଜଣଙ୍କ ନିଖୋଜ ଘଟଣା ପରିବାରକୁ ଦୁଃଖରେ ଭାଙ୍ଗିଦେଇଛି। ଏହି ଘଟଣା ପରେ ତେଲି ଅର୍ଶଳା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।