ହାଇଦ୍ରାବାଦ: ତେଲେଙ୍ଗାନାର ମେଡକ ଜିଲ୍ଲାରୁ ଅନ୍ଧବିଶ୍ୱାସର ଏକ ବର୍ବର କାଣ୍ଡ ସାମ୍ନାକୁ ଆସିଛି। ଜଣେ ପୁଅ ଗୁଣିଗାରେଡ଼ି ସନ୍ଦେହରେ ନିଜ ଜନ୍ମଦାତ୍ରୀ ମା’ଙ୍କୁ ଜୀବନ୍ତ ପୋଡ଼ି ହତ୍ୟା କରିଛି। ଏହି ଦୁଃଖଦ ଘଟଣାରେ ୪୮ ବର୍ଷୀୟା ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଏହା ପୂରା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ପୋଲିସ ଅଭିଯୁକ୍ତ ପୁଅକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।
ଗ୍ରାମରେ ହୋଇଥିବା ମୃତ୍ୟୁକୁ ନେଇ କରୁଥିଲା ସନ୍ଦେହ
ମିଳିଥିବା ସୂଚନା ଅନୁଯାୟୀ, ତେଲେଙ୍ଗାନାର ମେଡକ ଜିଲ୍ଲା ଅନ୍ତର୍ଗତ ଟେକମଲ ମଣ୍ଡଳର ଏଲୁପେଟା ଗ୍ରାମରେ ଏହି ଅଭାବନୀୟ କାଣ୍ଡ ଘଟିଛି। ମୃତ ମହିଳା ଜଣକ କର୍ରେ ସାୟଭ୍ୱା (୪୮) ବୋଲି ଜଣାପଡ଼ିଛି। ତାଙ୍କ ପୁଅ ଦୁର୍ଗେଶ ଜଣେ ଅଟୋ ଚାଳକ ଏବଂ ସେ କିଛି ଦିନ ହେବ ହାଇଦ୍ରାବାଦରେ ରହି ମଝିରେ ମଝିରେ ଗାଁକୁ ଆସୁଥିଲା।
ଗାଁରେ କିଛି ଦିନ ମଧ୍ୟରେ ଘଟିଥିବା କିଛି ଲୋକଙ୍କ ଅସ୍ୱାଭାବିକ ମୃତ୍ୟୁକୁ ନେଇ ଦୁର୍ଗେଶ ନିଜ ମା’ଙ୍କ ଉପରେ ସନ୍ଦେହ କରିବାକୁ ଲାଗିଥିଲା। ତା’ର ବିଶ୍ୱାସ ଥିଲା ଯେ ତାଙ୍କ ମା’ଙ୍କ କଳାଯାଦୁ ଓ ମନ୍ତ୍ରତନ୍ତ୍ର କାରଣରୁ ହିଁ ଗାଁରେ ଏଭଳି ମୃତ୍ୟୁ ଘଟୁଛି। ଏହି କଥାକୁ ନେଇ ମା’ ଓ ପୁଅଙ୍କ ଭିତରେ ପ୍ରାୟତଃ ବିବାଦ ଲାଗି ରହୁଥିଲା। ଏପରିକି ଗାଁରେ ପଞ୍ଚାୟତ ବସି ଦୁର୍ଗେଶକୁ ବୁଝାଇବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତା’ମନରୁ ସନ୍ଦେହ ଦୂର ହୋଇନଥିଲା।
ଘରକୁ ଡାକି ପାଶବିକ ଆକ୍ରମଣ
ପୋଲିସ ସୂତ୍ରରୁ ଜଣାପଡିଛି ଯେ ଶନିବାର ସନ୍ଧ୍ୟାରେ ଦୁର୍ଗେଶ ଗାଁକୁ ଫେରିଥିଲା। ସେତେବେଳେ ତାଙ୍କ ମା’ ପଡ଼ୋଶୀଙ୍କ ସହ କଥା ହେଉଥିଲେ। ଦୁର୍ଗେଶ ତାଙ୍କୁ ଘରକୁ ଡାକିଥିଲା ଏବଂ ସେଠାରେ ଉଭୟଙ୍କ ମଧ୍ୟରେ ପୁଣି ବଚସା ହୋଇଥିଲା। ଉତ୍କ୍ଷିପ୍ତ ହୋଇ ପୁଅ ଦୁର୍ଗେଶ ମା’ଙ୍କ ଦେହରେ ପେଟ୍ରୋଲ କିମ୍ବା ଡିଜେଲ ଢାଳି ନିଆଁ ଲଗାଇ ଦେଇଥିଲା।
ମହିଳାଜଣକ ଗୁରୁତର ଭାବେ ପୋଡ଼ିଯାଇଥିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ସ୍ଥାନୀୟ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଭିଯୁକ୍ତ ପୁଅକୁ ହେପାଜତକୁ ନେଇଛି।
ଅନ୍ଧବିଶ୍ୱାସର ଭୟାବହ ପରିଣତି
ଏହି ଘଟଣା ସମାଜରେ ଆଜି ମଧ୍ୟ ବ୍ୟାପିଥିବା ଅନ୍ଧବିଶ୍ୱାସ ଏବଂ ଭିତ୍ତିହୀନ ସନ୍ଦେହର ଭୟାନକ ରୂପକୁ ପଦାରେ ପକାଇଛି। ବିନା କୌଣସି ପ୍ରମାଣରେ କାହାକୁ ଗୁଣିଗାରେଡ଼ି ପାଇଁ ଦାୟୀ କରି ଏଭଳି ଜଘନ୍ୟ କାଣ୍ଡ ଘଟାଇବା ଏକ ସାଙ୍ଘାତିକ ଅପରାଧ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।