ହିଙ୍ଗୋଲି: କକ୍ରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦିପକେଙ୍କୁ ଏକ ଶକ୍ତ ଝଟକା ଲାଗିଛି । ଶନିବାର ସକାଳେ ଅଭିଜିତଙ୍କ ଜେଜେ ମାଆଙ୍କର ଦେହାନ୍ତ ହୋଇଯାଇଛି । ଏପଟେ ଦିଲ୍ଲୀରେ ଅଭିଜିତ ଦିପକେ ଅଟକ ରହିଛନ୍ତି । ତେବେ ଜେଜେ ମାଆ ଶେଷକୃତ୍ୟରେ ସାମିଲ ହେବାକୁ ଦିଲ୍ଲୀ ପୋଲିସ ଅଭିଜିତଙ୍କୁ ଅନୁମତି ପ୍ରଦାନ କରିଛି ।
ମହାରାଷ୍ଟ୍ରର ହିଙ୍ଗୋଲି ଜିଲ୍ଲା ଅନ୍ତର୍ଗତ ସାନ୍ତୁକ ପିମ୍ପ୍ରି ଗ୍ରାମରେ ଶନିବାର ପୂର୍ବାହ୍ନ ସାଢ଼େ ଏଗାରଟା ସମୟରେ ଅଭିଜିତଙ୍କ ଜେଜେ ମାଆ ସାବିତ୍ରୀ ବାଇ ଶଙ୍କରାଓ ଦିପକେଙ୍କ ଦେହାନ୍ତ ହୋଇଯାଇଛି । ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ । ଆଜି ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏ ନେଇ ଦିଲ୍ଲୀ ପୋଲିସ ଅବଗତ ହେବା ପରେ ଅଭିଜିତଙ୍କୁ ସୂଚିତ କରାଇଥିଲା । ଅଭିଜିତଙ୍କୁ ମହାରାଷ୍ଟ୍ର ଫେରି ଜେଜେ ମାଆ ଶେଷକୃତ୍ୟରେ ସାମିଲ ହେବାକୁ ପୋଲିସ ଅନୁମତି ଦେଇଛି । ଅଭିଜିତ ଚାହିଁଲେ ଦିଲ୍ଲୀରୁ ପ୍ରତ୍ୟାବର୍ତ୍ତନ କରିପାରିବେ ବୋଲି ଦିଲ୍ଲୀ ପୋଲିସ ସୂତ୍ରରୁ ଜଣାପଡ଼ିଛି ।
ଅଭିଜିତ ଆଜି ସକାଳେ ବିକ୍ଷୋଭରେ ସାମିଲ ହେବାକୁ ମୁମ୍ବାଇରୁ ବାହାରିଥିଲେ। ତେବେ, ଦିଲ୍ଲୀ ବିମାନବନ୍ଦରରେ ପୋଲିସ ତାଙ୍କୁ ଅଟକ ରଖିଥିଲା। ଅଭିଜିତଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି ଅଭିଜିତଙ୍କ ସହିତ କୌଣସି ଯୋଗାଯୋଗ ସ୍ଥାପନ ହୋଇପାରୁ ନାହିଁ ।
ଅନ୍ୟପକ୍ଷରେ, ଦିପକେଙ୍କ ପିତାମାତା ଅନିତା ଏବଂ ଭଗବାନ୍ ଦିପକେ ବର୍ତ୍ତମାନ ଛତ୍ରପତି ସମ୍ଭାଜୀନଗରରେ ଅଛନ୍ତି ଏବଂ ସେଠାରେ ତାଙ୍କ ଘର ବାହାରେ ପୋଲିସ ମୁତୟନ କରାଯାଇଛି । ମୃତ୍ୟୁ ଖବର ପାଇବା ପରେ, ଶେଷକୃତ୍ୟରେ ଯୋଗଦେବା ପାଇଁ ସେମାନେ ତୁରନ୍ତ ହିଙ୍ଗୋଲି ଅଭିମୁଖେ ଯାତ୍ରା କରିବେ ବୋଲି ଆଶା କରାଯାଉଛି। ଆସନ୍ତାକାଲି ସାବିତ୍ରୀ ବାଇଙ୍କ ଶେଷକୃତ୍ୟ କରାଯିବ ।