ନୂଆଦିଲ୍ଲୀ : କକ୍ରୋଚ୍ ଜନତା ପାର୍ଟି (CJP) ର ମୁଖ୍ୟ ନିର୍ବାଚନ ଆୟୁକ୍ତ (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଦିଲ୍ଲୀର ଜନ୍ତର ମନ୍ତରରେ ଦ୍ବିତୀୟ ଦିନ ପାଇଁ ଆନ୍ଦୋଳନ ଜାରି ରହିଛି।
ଶନିବାର ଦିନ ହଜାର ହଜାର ପ୍ରତିବାଦକାରୀ ଓ ଦଳର ପ୍ରମୁଖ ନେତାମାନଙ୍କୁ ଦିଲ୍ଲୀ ପୋଲିସ ଅଟକ ରଖିବା ସତ୍ତ୍ୱେ, CJP ପକ୍ଷରୁ ରବିବାର ପୁଣି ଥରେ ଜନ୍ତର ମନ୍ତରଠାରେ ଏକାଠି ହେବାକୁ ଆହ୍ୱାନ ଦିଆଯାଇଛି।ରବିବାର ଆନ୍ଦୋଳନର ନେତୃତ୍ବ ନେବେ CJP ନେତା ଆଜିଙ୍କ୍ୟ ସିନ୍ଦେ। ଭୋଟର ତାଲିକାରେ ହୋଇଥିବା ଅନିୟମିତତାକୁ ନେଇ ମୁଖ୍ୟ ନିର୍ବାଚନ ଆୟୁକ୍ତ ଇସ୍ତଫା ନଦେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ପ୍ରତ୍ୟାହାର କରାଯିବ ନାହିଁ ବୋଲି CJP ଜିଦ୍ ଧରିଛି।
ପୂର୍ବଦିନ ସିଜେପି ମୁଖ୍ଯ ଅଭିଜିତ ଦୀପକେ, ସୌରଭ ଦାସଙ୍କ ସମେତ ୟୁଟ୍ୟୁବର ଧ୍ରୁବ ରାଠୀ, ବିରୋଧୀ ଦଳର ବହୁ ପ୍ରମୁଖ ନେତା ଓ ପ୍ରାୟ ୫୦୦୦ରୁ ଅଧିକ କର୍ମୀଙ୍କୁ ପୋଲିସ ହେପାଜତକୁ ନେଇଥିଲା।
ଦ୍ୱିତୀୟ ଦିନରେ ମଧ୍ୟ ପ୍ରତିବାଦକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଦିଲ୍ଲୀର ପ୍ରାୟ ୩୦ଟି ପ୍ରମୁଖ ସ୍ଥାନରେ ଟ୍ରାଫିକ ଡାଇଭର୍ସନ କରାଯାଇଛି। ଜନ୍ତର ମନ୍ତର, କନଟ୍ ପ୍ଲେସ୍ ଓ ମଣ୍ଡି ହାଉସ୍ ଅଞ୍ଚଳରେ ବ୍ୟାପକ ପୋଲିସ ବଳ ମୁତୟନ ଅଛନ୍ତି।
ଆମ୍ ଆଦମୀ ପାର୍ଟିର ଅରବିନ୍ଦ କେଜ୍ରିୱାଲ ଏବଂ କଂଗ୍ରେସ ସମେତ ବହୁ ବଡ଼ ନେତା ଓ ଛାତ୍ର ସଂଗଠନ ମଧ୍ୟ CJP ର ଗଣତନ୍ତ୍ର ବଞ୍ଚାଅ ଆନ୍ଦୋଳନକୁ ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି।