ନୂଆଦିଲ୍ଲୀ: ଅଙ୍ଗନବାଡ଼ି କେନ୍ଦ୍ର ଆଉ କେବଳ ଶିଶୁଙ୍କ ଯତ୍ନ ଓ ପୋଷଣରେ ସୀମିତ ରହିବ ନାହିଁ। ଏହାକୁ ସ୍ଥାନୀୟ ସମୁଦାୟର ଅଂଶଗ୍ରହଣ ଓ ସାମାଜିକ ବିକାଶର ଏକ ସକ୍ରିୟ କେନ୍ଦ୍ର ଭାବେ ଗଢ଼ି ତୋଳିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମହିଳାଙ୍କ ସୁରକ୍ଷା, ଶିଶୁଙ୍କ ପୋଷଣ ଓ କିଶୋର-କିଶୋରୀଙ୍କ ସ୍ୱାସ୍ଥ୍ୟକୁ ନେଇ ମଧ୍ୟ ସେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ନୂଆଦିଲ୍ଲୀର ସୁଷମା ସ୍ୱରାଜ ଭବନରେ ଆୟୋଜିତ ଦୁଇଦିନିଆ ଜାତୀୟ ମହିଳା ଓ ଶିଶୁ ବିକାଶ ବିଭାଗୀୟ ସମ୍ମିଳନୀର ଉଦ୍ଯାପନୀ ଅଧିବେଶନରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଏହି ଆହ୍ୱାନ ଦେଇଛନ୍ତି।
ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ବିକାଶରେ ଶିକ୍ଷାନୁଷ୍ଠାନ ଓ ସ୍ଥାନୀୟ ଲୋକଙ୍କୁ ସାମିଲ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ବିଶ୍ୱବିଦ୍ୟାଳୟଗୁଡ଼ିକ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ରକୁ ଆପଣାଇ ନେଇ ସେଠାରେ ସାମାଜିକ ପ୍ରଭାବ ଅଧ୍ୟୟନ କରିପାରିବେ। ଏହି କାର୍ଯ୍ୟରେ ଏନ୍ଏସ୍ଏସ୍, ଏନ୍ସିସି ଓ ମେଡିକାଲ ଛାତ୍ରଛାତ୍ରୀଙ୍କୁ ଯୋଡ଼ିବାକୁ ମଧ୍ୟ ସେ କହିଛନ୍ତି।
ମହିଳା ସୁରକ୍ଷା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଛନ୍ତି, କେବଳ ଘଟଣା ପରେ ପଦକ୍ଷେପ ନେବା ନୁହେଁ, ବରଂ ଆଗୁଆ ପ୍ରତିରୋଧମୂଳକ ବ୍ୟବସ୍ଥା ଗ୍ରହଣ କରିବା ଆବଶ୍ୟକ। ଏଥିପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରହିବା ଜରୁରୀ। ପିଲାମାନଙ୍କୁ ଛୋଟ ବୟସରୁ ସମ୍ମାନ, ମର୍ଯ୍ୟାଦା ଓ ସଶକ୍ତୀକରଣ ସମ୍ପର୍କରେ ଶିକ୍ଷା ଦେବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି।
ଏଥିସହ କିଶୋରକିଶୋରୀଙ୍କ ସ୍ୱାସ୍ଥ୍ୟ ଓ ପୋଷଣ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବା ସହ ସ୍ୱଚ୍ଛତା ଅଭିଯାନକୁ ଜନସ୍ୱାସ୍ଥ୍ୟ ସହ ଯୋଡ଼ିବାକୁ ମୋଦୀ ଗୁରୁତ୍ୱ ଦେଇଛନ୍ତି।
‘ଭୋକାଲ୍ ଫର୍ ଲୋକାଲ୍’ ଓ ‘ୱାନ୍ ଡିଷ୍ଟ୍ରିକ୍ଟ ୱାନ୍ ପ୍ରଡକ୍ଟ’ ଭଳି ଅଭିଯାନ ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ସଶକ୍ତ କରିବା ଉପରେ ସେ ଜୋର୍ ଦେଇଛନ୍ତି। ଆଜିର ଶିଶୁମାନେ ହିଁ ଆସନ୍ତାକାଲିର ବିକଶିତ ଭାରତର ମୂଳଦୁଆ ହେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।