ଆଜି ସିଜେପିର ପ୍ରସ୍ତାବିତ ଜନ୍ତରମନ୍ତର ଆନ୍ଦୋଳନ ପୂର୍ବରୁ ଦିଲ୍ଲୀ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୋଲିସ ଜଣ ଜଣ କରି ସିଜେପିର ତୁଙ୍ଗ ନେତାଙ୍କୁ ଉଠାଇ ନେଇଛି । ଦିଲ୍ଲୀ ବିମାନବନ୍ଦରରୁ ସିଜେପି ମୁଖ୍ୟ ଅଭିଜିତ ଦିପକେ, ଆଶୁତୋଷ ରାଙ୍କା ଏବଂ ସୌରଭ ଦାସଙ୍କୁ ଅଟକ ରଖାଯାଇଛି । ସେପଟେ ଧ୍ରୁବ ରାଠୀଙ୍କୁ ତାଙ୍କ ବାସଭବନରୁ ଟେକି ନେଇଛି ପୋଲିସ ।
ସିଜେପି ପ୍ରତିଷ୍ଠାତା ଅଭିଜିତ ଦିପକେ ଆସୁଥିବା ବିମାନ ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିବା ମାତ୍ରେ ଦିଲ୍ଲୀ ପୋଲିସ ଅଧିକାରୀମାନେ ତୁରନ୍ତ ବିମାନ ଭିତରକୁ ଚଢ଼ିଥିଲେ। ସେମାନଙ୍କୁ ଦେଖି ସିଜେପିର ତିନିଜଣ ନେତା ବୁଝିପାରିଥିଲେ ଯେ ଅଧିକାରୀମାନେ ସେମାନଙ୍କୁ ଅଟକ ରଖିବା ପାଇଁ ଆସିଛନ୍ତି । ପୋଲିସ ଏବଂ ସିଜେପି ନେତାଙ୍କ ମଧ୍ୟରେ କିଛି ସମୟ ପାଇଁ କଥାବାର୍ତ୍ତା ହୋଇଥିଲା ଏବଂ ତା’ପରେ ଅଭିଜିତ ଦିପକେ, ଆଶୁତୋଷ ରାଙ୍କା ଏବଂ ସୌରଭ ଦାସଙ୍କୁ ହେପାଜତକୁ ନିଆଯାଇଥିଲା । ଏହା ପରେ କଡ଼ା ସୁରକ୍ଷାବଳୟ ଭିତରେ ବିମାନବନ୍ଦରରୁ ବାହାର କରି ଏକ ଅଜ୍ଞାତ ସ୍ଥାନକୁ ନିଆଯାଇଛି ।
ୟୁଟ୍ୟୁବର୍ ଧ୍ରୁବ ରାଠୀଙ୍କୁ ଗୁରୁଗ୍ରାମରେ ଅଟକ ରଖାଯାଇଛି । ପୋଲିସ ସକାଳ ୮ଟା ସମୟରେ ତାଙ୍କ ବାସଭବନରେ ପହଂଚି ତାଙ୍କୁ ଏକ ଅଜ୍ଞାତ ସ୍ଥାନକୁ ନେଇଯାଇଛି । ତାଙ୍କୁ ଅଟକ ରଖିବାର କାରଣ ଏବଂ ଏହି ଘଟଣା ସମ୍ବନ୍ଧୀୟ ବିବରଣୀ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଶୁକ୍ରବାର ଦିନ ରାଠୀ ଇନଷ୍ଟାଗ୍ରାମରେ ସିଜେପି ବିକ୍ଷୋଭରେ ଅଂଶଗ୍ରହଣ କରିବା ନେଇ ପୋଷ୍ଟ କରିଥିଲେ । କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିବା ସହ ସେ ଲୋକମାନଙ୍କୁ ଜନ୍ତର ମନ୍ତର ଆସି ଏହି ବିକ୍ଷୋଭରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ।
ସେପଟେ ଜନ୍ତରମନ୍ତର ଆସୁଥିବା ଆନ୍ଦୋଳନକାରୀଙ୍କ ପୋଲିସ ଅଟକାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛି । ଶହ ଶହ ସଂଖ୍ୟାରେ ଆନ୍ଦୋଳନକାରୀଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡ଼ିଛି ।
ତେବେ ଦିଲ୍ଲୀ ପୋଲିସ ସ୍ପଷ୍ଟ ଭାବରେ କହିଛି ଯେ ସିଜେପିକୁ ଆନ୍ଦୋଳନ ପାଇଁ କୌଣସି ଅନୁମତି ପ୍ରଦାନ କରାଯାଇ ନାହିଁ । ଆନ୍ଦୋଳନ ପାଇଁ ଦଶ ଦିନ ପୂର୍ବରୁ ଅନୁମତି ନେବାରୁ ନିୟମ ରହିଛି । କିନ୍ତୁ ସିଜେପି ଗତ ସାତ ତାରିଖରେ ଅନୁମତି ପାଇଁ ଆବେଦନ କରିଥିଲା । ଯେଉଁଥିପାଇଁ ଦିଲ୍ଲୀ ପୋଲିସ ଅନୁମତି ଦେଇନଥିଲା ।