ନୂଆଦିଲ୍ଲୀ: ଅପରାଧିକ ମାମଲାରେ ଜଡ଼ିତ ଅଭିଯୁକ୍ତଙ୍କ ପାଇଁ ଜାମିନକୁ ନେଇ ସୁପ୍ରିମକୋର୍ଟ ଦେଇଛନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ରାୟ। କେବଳ ବିଚାର ପ୍ରକ୍ରିୟାରେ ବିଳମ୍ବ ହେଉଥିବା ଆଧାରରେ ଅପରାଧିକ ପୃଷ୍ଠଭୂମି ଓ ପୂର୍ବ ଦୋଷସିଦ୍ଧି ଥିବା ବ୍ୟକ୍ତିଙ୍କୁ ଜାମିନ ଦିଆଯାଇପାରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସର୍ବୋଚ୍ଚ ଅଦାଲତ। ଅଭିଯୁକ୍ତଙ୍କ ବ୍ୟକ୍ତିଗତ ସ୍ୱାଧୀନତା ସହ ସମାଜର ସ୍ୱାର୍ଥ ଏବଂ ପୀଡ଼ିତଙ୍କ ପରିବାରର ନ୍ୟାୟ ପାଇବାର ଅଧିକାରକୁ ମଧ୍ୟ ବିଚାର କରିବା ଆବଶ୍ୟକ ବୋଲି ଜଷ୍ଟିସ୍ ପ୍ରଶାନ୍ତ କୁମାର ମିଶ୍ର ଓ ଜଷ୍ଟିସ୍ ଶ୍ରୀ ଚନ୍ଦ୍ରଶେଖରଙ୍କ ଖଣ୍ଡପୀଠ କହିଛନ୍ତି।
୫ ବର୍ଷ ଜେଲ୍ରେ ରହିଥିଲେ, ତଥାପି ମିଳିଲାନି ଜାମିନର ସୁରକ୍ଷା
ଫରିଦାବାଦରେ ୨୦୨୦ରେ ଅକ୍ଷୟ ନାମକ ଜଣେ ଯୁବକଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ରାହୁଲ ଓରଫ୍ ବିକ୍ରମଙ୍କୁ ହାଇକୋର୍ଟ ଜାମିନ ଦେଇଥିଲେ। ୫ ବର୍ଷରୁ ଅଧିକ ସମୟ ଜେଲ୍ରେ ରହିଥିବା ଦର୍ଶାଇ ସେ ଜାମିନ ପାଇଥିଲେ। ତେବେ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ମୃତ ଅକ୍ଷୟଙ୍କ ବାପା ଚନ୍ଦର ପାଲ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ଶୁଣାଣି ସମୟରେ ଜଣାପଡ଼ିଥିଲା ଯେ, ରାହୁଲଙ୍କ ବିରୋଧରେ ପୂର୍ବରୁ ଅକ୍ଷୟଙ୍କୁ ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ମାମଲା ରହିଥିଲା। ଏହି ମାମଲାରେ ୨୦୧୬ ନଭେମ୍ବର ୮ରେ ସେସନ୍ସ କୋର୍ଟ ତାଙ୍କୁ IPCର ଧାରା ୩୦୭ (ହତ୍ୟା ଉଦ୍ୟମ), ୩୪ (ସାଧାରଣ ଉଦ୍ଦେଶ୍ୟ) ଏବଂ ଆର୍ମସ୍ ଆକ୍ଟର ଧାରା ୨୫ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଥିଲେ।
ଜାମିନ ଆବେଦନରେ ତଥ୍ୟ ଲୁଚାଇଥିଲେ ଅଭିଯୁକ୍ତ
ଏହି ମାମଲାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ଥିଲା ଅଭିଯୁକ୍ତଙ୍କ ଜାମିନ ଆବେଦନ। ହାଇକୋର୍ଟରେ ଦାଖଲ ଆବେଦନର ଦୁଇଟି ସ୍ଥାନରେ ରାହୁଲ ନିଜ ବିରୋଧରେ ଅନ୍ୟ କୌଣସି ଅପରାଧିକ ମାମଲା ନଥିବା ଦର୍ଶାଇଥିଲେ। ଏହାଦ୍ୱାରା ସେ ଅକ୍ଷୟଙ୍କୁ ପୂର୍ବରୁ ହତ୍ୟା ଉଦ୍ୟମ କରିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ତଥ୍ୟ ଲୁଚାଇଥିଲେ ବୋଲି ସୁପ୍ରିମକୋର୍ଟ ଜାଣିବାକୁ ପାଇଥିଲେ।
ଆହୁରି ଆଶ୍ଚର୍ଯ୍ୟଜନକ କଥା ହେଉଛି, ଯେଉଁ ଅକ୍ଷୟଙ୍କୁ ପୂର୍ବରୁ ହତ୍ୟା ଉଦ୍ୟମ କରି ରାହୁଲ ଦୋଷୀ ସାବ୍ୟସ୍ତ ହୋଇଥିଲେ, ସେହି ଅକ୍ଷୟଙ୍କ ହତ୍ୟା ମାମଲା ଘଟିବା ସମୟରେ ସେ ପୂର୍ବ ମାମଲାରେ ଜାମିନରେ ବାହାରେ ଥିଲେ।
ଧାରା ୨୧ର ଅଧିକାର ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ
ଖଣ୍ଡପୀଠ କହିଛନ୍ତି ଯେ, ଭାରତୀୟ ସମ୍ବିଧାନର ଧାରା ୨୧ ଅନୁଯାୟୀ ଶୀଘ୍ର ବିଚାର ପାଇବାର ଅଧିକାର ଜୀବନ ଓ ବ୍ୟକ୍ତିଗତ ସ୍ୱାଧୀନତାର ଏକ ଅବିଚ୍ଛେଦ୍ୟ ଅଂଶ। କିନ୍ତୁ ଗୁରୁତର ଅପରାଧ ଏବଂ ପୂର୍ବ ଅପରାଧିକ ଇତିହାସ ଥିବା ଅଭିଯୁକ୍ତଙ୍କ କ୍ଷେତ୍ରରେ ଏହି ଅଧିକାରକୁ ଅଲଗା କରି ଦେଖାଯାଇପାରିବ ନାହିଁ।
ଅଦାଲତ କହିଛନ୍ତି, ଅଭିଯୁକ୍ତଙ୍କ ଶୀଘ୍ର ବିଚାର ପାଇବାର ଅଧିକାର ଓ ସମାଜର ସ୍ୱାର୍ଥ ମଧ୍ୟରେ ଅଦାଲତଙ୍କୁ ସନ୍ତୁଳନ ରକ୍ଷା କରିବାକୁ ପଡ଼ିବ। ବିଶେଷକରି ଯେତେବେଳେ ଅଭିଯୁକ୍ତ ଏକାଧିକ ଅପରାଧରେ ଜଡ଼ିତ, ସେତେବେଳେ ପୀଡ଼ିତ ଓ ତାଙ୍କ ପରିବାରର ନ୍ୟାୟ ପାଇବାର ଅଧିକାରକୁ ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକ।
ହାଇକୋର୍ଟଙ୍କ ଜାମିନ ଆଦେଶ ରଦ୍ଦ, ସପ୍ତାହକ ମଧ୍ୟରେ ଆତ୍ମସମର୍ପଣ ନିର୍ଦ୍ଦେଶ
ସମସ୍ତ ତଥ୍ୟ ଓ ପୂର୍ବ ଅପରାଧିକ ରେକର୍ଡକୁ ବିଚାର କରି ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ଜାମିନ ଆଦେଶକୁ ରଦ୍ଦ କରିଛନ୍ତି। ଏଥିସହ ଅଭିଯୁକ୍ତ ରାହୁଲଙ୍କୁ ଏକ ସପ୍ତାହ ମଧ୍ୟରେ ସମ୍ପୃକ୍ତ ଅଦାଲତରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସର୍ବୋଚ୍ଚ ଅଦାଲତଙ୍କ ଏହି ରାୟ ସ୍ପଷ୍ଟ କରିଛି ଯେ, ଶୀଘ୍ର ବିଚାର ପାଇବାର ଅଧିକାର ନିଶ୍ଚିତ ଭାବେ ଜଣେ ଅଭିଯୁକ୍ତଙ୍କ ସାମ୍ବିଧାନିକ ଅଧିକାର, କିନ୍ତୁ ଏହାକୁ ଆଧାର କରି ପୂର୍ବ ଅପରାଧ ଲୁଚାଇଥିବା କିମ୍ବା ଗୁରୁତର ଅପରାଧରେ ଜଡ଼ିତ ବ୍ୟକ୍ତି ସ୍ୱତଃ ଜାମିନ ପାଇପାରିବେ ନାହିଁ।