ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ମହୁଲିଆ ପଞ୍ଚାୟତ ନିଶ୍ଚିନ୍ତା ଜେନା ସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗତ ଚାରି ଦିନ ହେବା ନିଖୋଜ ଥିବା ପୁଅର ଗଳିତ ମୃତ ଦେହ ଏକ କୂଅରୁ ଉଦ୍ଧାର କରାଯାଇଛି । ମୃତକ ହେଲେ ଗ୍ରାମର ସୁବାଷ ସାହୁଙ୍କ ସାନପୁଅ ପବିତ୍ର ସାହୁ । ଭେଣ୍ଡିଆ ପୁଅର ମୃତ ଦେହକୁ ଦେଖି ମୁଣ୍ଡ ପିଟି ପିଟି କାନ୍ଦୁଛନ୍ତି ବାପା ମାଆ ।
ଖବର ଅନୁଯାୟୀ, ୧୨ ତାରିଖ ରାତିରେ ପବିତ୍ର ବାପାଙ୍କ ସହିତ ଚାନ୍ଦବାଲି କାଳୀପୂଜା ଦେଖିବାକୁ ଯାଇଥିଲେ। ଚାନ୍ଦବାଲିରୁ ରାତିରେ ଫେରିବା ପରେ ଖାଇ ପିଇ ଶୋଇଥିଲେ । ସକାଳୁ ପରିବାର ଲୋକେ ଉଠିବା ପରେ ଘରେ ପୁଅ ନ ଥିଲା । କେଉଁ ଆଡ଼େ ଯାଇଥିବା ଭାବି ଖୋଜା ଖୋଜି କରିଥିଲେ । କିନ୍ତୁ ଦିନ ଗଡ଼ିବା ପରେ ପବିତ୍ରଙ୍କର କୌଣସି ସନ୍ଧାନ ମିଳିନଥିଲା ।
ପରିବାର ପକ୍ଷରୁ ଚାନ୍ଦବାଲି ଥାନାରେ ଏକ ନିଖୋଜ ଅଭିଯୋଗ ମଧ୍ୟ କରାଯାଇଥିଲା । ପୋଲିସ ମଧ୍ୟ ଖୋଜାଖୋଜି ଜାରି ରଖିଥିଲା । ତେବେ ଆଜି ସୁବାଷଙ୍କ ଘର ପଛ ପଟେ ଥିବା କୂଅରୁ ଦୁର୍ଗନ୍ଧ ବାହାରିବାରୁ ସନ୍ଦେହ ହୋଇଥିଲା । ପରେ କୂଅ ଭିତରେ ଜଣଙ୍କ ମୃତ ଦେହ ଭାସୁଥିବାର ଦେଖିଥିଲେ । ଖବର ପାଇ ଚାନ୍ଦବାଲି ଅଗ୍ନିଶମ ବିଭାଗ ଟିମ୍ ଘଟଣା ସ୍ଥଳରେ ପହଁଚି ପବିତ୍ରଙ୍କ ଗଳିତ ମୃତ ଦେହକୁ କୂଅ ଭିତରୁ ଉଦ୍ଧାର କରିଛି ।
ପବିତ୍ର କେମିତି କୂଅରେ ପଡ଼ିଲେ ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପବିତ୍ର ଆତ୍ମହତ୍ୟା କରିଛନ୍ତି ନାଁ ଏହା ଏକ ହତ୍ୟା କାଣ୍ଡ କିମ୍ବା ଦୁର୍ଘଟଣା ସେ ନେଇ କିଛି ସ୍ପଷ୍ଟ ହୋଇ ପାରିନାହିଁ । ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବାବେଳେ ପରିବାର ସଦସ୍ୟକୁ ପଚରାଉଚରା ଜାରି ରଖିଛି । ପୋଲିସ ତଦନ୍ତ ପରେ ଘଟଣା ଉପରୁ ପରଦା ଉଠିବ ବୋଲି ଆଶା କରାଯାଉଛି ।