ଭୁବନେଶ୍ବର : ଆସନ୍ତା ୧୨ ତାରିଖ(ସୋମବାର)ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ଗସ୍ତ କରିବେ । ମୁଖ୍ୟମନ୍ତ୍ରୀଙ୍କ ଏହି ଦିନିକିଆ ଗସ୍ତରେ କଟକ ସହରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ।
ସୋମବାର ବହୁ ପ୍ରତୀକ୍ଷିତ କଟକଚଣ୍ଡୀ ମନ୍ଦିରର ନବକଳେବର ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିବେ । ଚଣ୍ଡୀମନ୍ଦିର ଉଦ୍ଘାଟନ ପରେ ଗଡ଼ଗଡ଼ିଆ ଘାଟ ନିକଟରେ ଥିବା କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ସହ ବାଲିଯାତ୍ରା ପଡ଼ିଆରେ ଥିବା କଟକ ଇନ୍ କଟକ ଯିବେ । ସର୍କିଟ୍ ହାଉସ୍ରେ ବିଶ୍ରାମ ପରେ ଅପରାହ୍ନରେ ଏସ୍ସିବି ମେଡିକାଲ ଯାଇ ମୁଖ୍ଯମନ୍ତ୍ରୀ ନୂତନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିବେ । ଏଠାରେ ମୁଖ୍ୟମନ୍ତ୍ରୀ ସମ୍ପ୍ରସାରଣ ପ୍ରକଳ୍ପ ମଧ୍ୟରୁ କ୍ଲିନିକାଲ୍ ବ୍ଲକ୍-୧ ଓ ବ୍ଲକ୍ -୪ର ନିର୍ମାଣସ୍ଥଳ ପରିଦର୍ଶନରେ ଯାଇ କ୍ଷେତ୍ର ଉପରେ କାର୍ଯ୍ୟ ଅନୁଧ୍ୟାନ କରିବା ସହ ସମୀକ୍ଷା କରିବେ ବୋଲି ଯୋଜନା ରହିଛି ।
ସୂଚନା ଅନୁଯାୟୀ କଟକ ଚଣ୍ଡୀ ମନ୍ଦିରର କାୟାକଳ୍ପ ଓ ଚତୁଃପାର୍ଶ୍ୱର ଉନ୍ନତିକରଣ ପାଇଁ ପ୍ରାୟ ୭୦ କୋଟି ଟଙ୍କା ବ୍ୟୟ କରାଯାଇଛି । ମନ୍ଦିର ଚାରିପାଖରେ ଚାରୋଟି ଆକର୍ଷଣୀୟ ଦ୍ଵାର ସହ ପଥରର ପାଚେରୀ ନିର୍ମାଣ କରାଯାଇଛି । ଶ୍ରଦ୍ଧାଳୁମାନଙ୍କ ପାଇଁ ଯାତ୍ରୀ ନିବାସ, ପ୍ରବଚନ ଗୃହ, ଯଜ୍ଞ ମଣ୍ଡପ, ଚଣ୍ଡୀପାଠ ମଣ୍ଡପ ଏବଂ ମୁଣ୍ଡନ ମଣ୍ଡପର ବ୍ୟବସ୍ଥା କରାଯାଇଛି । ସୁନ୍ଦର ଲ୍ୟାଣ୍ଡସ୍କେପିଂ, ଆକର୍ଷଣୀୟ ଆଲୋକ ସଜ୍ଜା, ସିସିଟିଭି ନଜର ଏବଂ ଗାଡ଼ି ପାର୍କିଂ ପାଇଁ ସ୍ୱତନ୍ତ୍ର ସ୍ଥାନ ପ୍ରସ୍ତୁତ କରାଯାଇଛି ।
ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ତଳଚଞ୍ଚଳ ହୋଇପଡ଼ିଛି । ଯୁଦ୍ଧକାଳୀନ ଭିତ୍ତିରେ କଟକଚଣ୍ଡୀ ମନ୍ଦିରରେ ଅସମ୍ପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟ କାମ ଚାଲିଥିବା ବେଳେ ଏସ୍ସିବିରେ କ୍ଲିନିକାଲ୍ ବ୍ଲକ୍-୧ କାର୍ଯ୍ୟକୁ ଆଗେଇ ନେବା ପାଇଁ ଠିକା ସଂସ୍ଥା ଦିନରାତି ଏକ କରି ଲାଗିପଡ଼ିଛି ।