ବାଲେଶ୍ବର: ଗୁରୁ ଶିଷ୍ୟ ସମ୍ପର୍କରେ ଲାଗିଲା କଳଙ୍କ, ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରି ବନ୍ଧା ହେଲେ ସାର୍। ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ଅନ୍ତର୍ଗତ ରଣସାହି ପଞ୍ଚାୟତର ଏକ ପ୍ରାଥମିକ ସ୍କୁଲରେ ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଏହି ନିନ୍ଦନୀୟ ଘଟଣାରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରିଛି।
ସୂଚନା ଅନୁଯାୟୀ ବିଦ୍ୟାଳୟରେ ଖେଳ ଛୁଟି ସମୟରେ ଏହି ଅଭାବନୀୟ ଘଟଣା ଘଟିଥିଲା। ଅଭିଯୁକ୍ତ ଶିକ୍ଷକ ଜଣକ ପଞ୍ଚମ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ଏକ ଶ୍ରେଣୀ ଗୃହକୁ ଡାକି ସେଠାରେ ତାଙ୍କ ସହ ଅସଦାଚରଣ କରିଥିଲେ । ପରବର୍ତ୍ତୀ ସମୟରେ ପୀଡ଼ିତା ଛାତ୍ରୀ ଜଣକ ଘରକୁ ଫେରି ପରିବାର ଲୋକଙ୍କୁ ଏହି ବିଷୟରେ ସବୁ କଥା ଜଣାଇଥିଲେ। ଘଟଣା ଜାଣିବା ପରେ ଉତ୍ତ୍ୟକ୍ତ ଲୋକେ ଅଭିଯୁକ୍ତ ଶିକ୍ଷକଙ୍କୁ ନିର୍ଧୂମ ଛେଚିବା ସହ ପୋଲିସ ଜିମା ଦେଇଥିଲେ ।
ଏନେଇ ଚାନ୍ଦିପୁର ଥାନାରେ ଏକ ମାମଲା ରୁଜୁ ହୋଇଛି । ପୋଲିସ ତଦନ୍ତ କରି ପୋକ୍ସୋ ଆକ୍ଟ (POCSO Act) ଏବଂ ଅନ୍ୟାନ୍ୟ ସଂଗୀନ ଦଫାରେ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।