ବାରିପଦା : ବାଙ୍ଗିରିପୋଷି ବ୍ଲକ ଶ୍ୟାମସୁନ୍ଦରପୁର ଏକଲବ୍ୟ ବିଦ୍ୟାଳୟରେ ଉତ୍କଟ ଅବ୍ୟବସ୍ଥା ପ୍ରତିବାଦରେ ହାତରେ ପ୍ଲାକାର୍ଡ ଧରି ୧୦ କିଲୋମିଟର ପାଦରେ ଚାଲିଲେ ୫୦୦ ଛାତ୍ରଛାତ୍ରୀ।
ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଦେଖାଦେଇଥିବା ବିଭିନ୍ନ ଅବ୍ୟବସ୍ଥା ଓ ସମସ୍ୟାକୁ ନେଇ ଆଜି ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଦ୍ୟାଳୟର ସମସ୍ୟା ସମ୍ପର୍କରେ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା। ଫଳରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ହାତରେ ପ୍ଲାକାର୍ଡ ଧରି ଶ୍ୟାମସୁନ୍ଦରପୁରରୁ ବାଙ୍ଗିରିପୋଷି ବ୍ଲକ କାର୍ଯ୍ୟାଳୟ ଅଭିମୁଖେ ପ୍ରାୟ ୧୦ କିଲୋମିଟର ରାସ୍ତା ପାଦରେ ଚାଲିଛନ୍ତି। ବ୍ଲକ ପ୍ରଶାସନ ତଥା ଜିଲ୍ଲାପାଳଙ୍କ ନିକଟରେ ନିଜର ଦାବି ଉପସ୍ଥାପନ କରିବା ସହ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ମୋଟ ୫୦ କିଲୋମିଟର ଅତିକ୍ରମ କରିବେ ବୋଲି ଛାତ୍ରଛାତ୍ରୀମାନେ ଜିଦ୍ ଧରିଥିଲେ।
ଛାତ୍ରଛାତ୍ରୀମାନେ ରାଜରାସ୍ତାରେ ଏଭଳି ପଦଯାତ୍ରା କରୁଥିବା ଦେଖି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ଘଟଣାକୁ ନେଇ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି ।
୪୯ ନମ୍ୱର୍ ଜାତୀୟ ରାଜପଥର ବାଙ୍ଗିରୀପୋଷୀ କଲିକତା ଛକ ନିକଟରେ ରାସ୍ତା ଅବରୋଧ କରି ନିଜ ଜିଦ୍ ରେ ଅଟଳ ରହି ବସିଥିଲେ ଶତାଧିକ ଛାତ୍ର ଛାତ୍ରୀ। ଯାହାଫଳରେ ଜାତୀୟ ରାଜପଥର ଉଭୟ ପଟରେ ଗାଡି ମଟର ଅଟକିଥିଲା । ଘଟଣା ସ୍ଥଳରେ ପୋଲିସ ପ୍ରଶାସନ ପହଞ୍ଚି ଛାତ୍ର ଛାତ୍ରୀଙ୍କୁ ବୁଝାସୁଝା କରିଛି ।