ଭୁବନେଶ୍ୱର: ଆଜି ହେଉଛି ପବିତ୍ର ମହାଳୟା ଅମାବାସ୍ୟା । ପିତୃପକ୍ଷର ଶେଷ ଦିନରେ ପିତୃପୁରୁଷଙ୍କୁ ଦାନ କରୁଛନ୍ତି ପରିବାର ବର୍ଗ । ଏହା ସହିତ ଆଜିଠାରୁ ଦେବୀ ପକ୍ଷ ଆରମ୍ଭ ହେବ । ଶ୍ରୀକ୍ଷେତ୍ର, ବିରଜା କ୍ଷେତ୍ର ଆଦି ପରିତ୍ର ସ୍ଥାନରେ ଶ୍ରଦ୍ଧାଳୁମାନେ ପିତୃପୁରୁଷଙ୍କୁ ଦାନ କରୁଛନ୍ତି । ବଡ଼ ଦେଉଳରେ ବାଇଶି ପାହାଚରେ ପିଣ୍ଡଦାନ କର୍ମ ଚାଲିଛି ।
ସେପଟେ ମହାଳୟା ଅମାବାସ୍ୟା ଉପଲକ୍ଷେ ମା ସମଲେଶ୍ୱରୀ ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଦେବୀଙ୍କ ଏହି ଅଲୌକିକ ବେଶକୁ ଦର୍ଶନ କଲେ ଗଙ୍ଗାସ୍ନାନର ଫଳ ମିଳେ ବୋଲି ବିଶ୍ୱାସ ରହିଛି । ଦଶହରା ମାସ ପିତୃପକ୍ଷରେ ପରଲୋକଗତ ପିତୃପୁରୁଷଙ୍କୁ ପିଣ୍ଡପ୍ରଦାନ ପରେ ଗଙ୍ଗାସ୍ନାନ ବିଧି ରହିଥିବାରୁ ପଶ୍ଚିମ ଓଡ଼ିଶାର ଦେବୀ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ ଦର୍ଶନ କରିଥାଆନ୍ତି ।
ଆଶ୍ୱିନ ମାସର ପ୍ରଥମ ପକ୍ଷ "ପିତୃ ପକ୍ଷ" ନାମରେ ଜଣା । ଆଶ୍ୱିନ ମାସ କୃଷ୍ଣ ପକ୍ଷ ପ୍ରତିପଦାଠାରୁ ଅମାବସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନକୁ ପିତୃପକ୍ଷ କୁହାଯାଏ । ଏହି ପକ୍ଷର ଅମାବାସ୍ୟା "ମହାଳୟା ଅମାବାସ୍ୟା" ନାମରେ ପାଳିତ । ପିତୃଗଣଙ୍କ ଉଦ୍ଦେଶ୍ୟରେ ପିଣ୍ଡ ଦାନ କରାଯାଇଥାଏ । ଚତୁର୍ଦ୍ଦଶୀ ଯାଏଁ ତର୍ପଣ କଲାପରେ ଅମାବସ୍ୟା ଦିନ ପିଣ୍ଡ ଦାନ କରାଯାଏ । ସୂର୍ଯ୍ୟ କନ୍ୟା ରାଶିରେ ଥିବାବେଳେ ଯେଉଁ ଅମାବାସ୍ୟା ପଡ଼େ ତାହା ମହାଳୟା ଅମାବାସ୍ୟା । ଏହି ଅବସରରେ ପିତୃ ପକ୍ଷରେ ଯେକୌଣସି ଦିନ ନିଜର ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ବ୍ରାହ୍ମଣ ଭୋଜନ ଦିଆଯାଏ ।