ଭୁବନେଶ୍ୱର: ଦୀର୍ଘ ଆଠ ବର୍ଷର ବିରତି ପରେ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନ ପାଇଁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ ବେଶ ସରଗରମ ରହିଛି । ଗତକାଲି ନାମାଙ୍କନ ଓ ଯାଞ୍ଚ ହୋଇଥିବାବେଳେ ଆଜି ଅନିଚ୍ଛୁକ ପ୍ରାର୍ଥୀମାନେ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ । ଏହା ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ।
ଆଜି ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା ଭିତରେ ନାମାଙ୍କନ ପ୍ରତ୍ୟାହାର କରିବାର ଅବଧି ରହିଛି । ଏହା ପରେ ଅପରାହ୍ନ ୩ ଟାରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ ।
ଆସନ୍ତା ୧୪ ତାରିଖରେ ଅନୁଷ୍ଠିତ ହେବ ‘ହ୍ବାଏ ଆଇ ଷ୍ଟାଣ୍ଡ୍ ଫର୍’ ମିଟିଂ। ଅକ୍ଟୋବର ୧୫ ତାରିଖରେ କ୍ୟାମ୍ପସରେ ଭୋଟ୍ ଗ୍ରହଣ ହେବ। ନିର୍ବାଚନ ପରେ ଅକ୍ଟୋବର ୧୬ ତାରିଖରେ ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ।
ସେପଟେ ବିଭିନ୍ନ କଲେଜରେ ଛାତ୍ର ଅଶାନ୍ତି ମଧ୍ୟ ଦେଖିବାକୁ ମିଳିଛି । କଟକ ଶୈଳବାଳା ମହିଳା ମହାବିଦ୍ୟାଳୟରେ ନାମାଙ୍କନ ନାକଚ ହେବା ପରେ ଏବିଭିପି ଛାତ୍ରୀମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ସେହିପରି କେନ୍ଦ୍ରାପଡ଼ା ତୁଳସୀ ଓମେନ୍ସ କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରାଯାଇଛି । କଲେଜରେ ସାଇନ୍ ଡାଏ ଘୋଷଣା କରିଛନ୍ତି ଅଧ୍ୟକ୍ଷା ଡକ୍ଟର ବାସନ୍ତୀ ଶୁକ୍ଳା। ଧାର୍ଯ୍ୟ ସମୟ ସରିବା ପରେ ନାମାଙ୍କନ ଦାଖଲ କରିବାକୁ ଆସି ଜଣେ ପ୍ରାର୍ଥୀ ଜିଦ୍ରେ ଅଟଳ ରହିବାରୁ ବିବାଦ ଦେଖାଦେଇଥିଲା। ଏହାକୁ ନେଇ କଲେଜ ପରିସରରେ ଉତ୍ତେଜନା ବଢ଼ିଥିଲା। ଅନ୍ୟପଟେ, ନାମାଙ୍କନ ଦାଖଲ କରିପାରି ନଥିବା ଛାତ୍ରୀଙ୍କ ସମର୍ଥକମାନେ କଲେଜ ସମ୍ମୁଖରେ ପୋଡ଼ାଜଳା କରିବା ସହ ଗଣ୍ଡଗୋଳ ସୃଷ୍ଟି କରିଥିଲେ। କଲେଜ ପରିସରରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ଆଶଙ୍କା କରି ଷ୍ଟାଫ୍ କାଉନସିଲ୍ ବୈଠକରେ ସାଇନ୍ ଡାଏ ଘୋଷଣା କରିବାକୁ ନିଷ୍ପତ୍ତି ହୋଇଥିଲା। ଏହାସହ ଚଳିତ ଶିକ୍ଷାବର୍ଷର ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରିଛନ୍ତି କଲେଜ ଅଧ୍ୟକ୍ଷା।