ଭୁବନେଶ୍ବର ରାସ୍ତା ଓ କୋଠାବାଡ଼ି ଡିଭିଜନ-୧ କାର୍ଯ୍ୟାଳୟରେ ୯.୨୪ କୋଟି ଟଙ୍କାର ସରକାରୀ ପାଣ୍ଠି ହେରଫେର ମାମଲାରେ ୩ ଗିରଫ ହୋଇଛନ୍ତି। ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ କ୍ରମାଗତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏହି ମାମଲାରେ ପୂର୍ବରୁ ୬ ଜଣ ଗିରଫ ହୋଇଛନ୍ତି ବର୍ତ୍ତମାନ ସମୁଦାୟ ଗିରଫ ସଂଖ୍ୟା ୯ ଛୁଇଁଲା।
ଆଜି ଏହି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ୩ ଜଣ ଅଭିଯୁକ୍ତ ହେଲେ ଭୁବନେଶ୍ୱର, ଜିଲ୍ଲା କୋଷାଗାର କାର୍ଯ୍ୟାଳୟ (District Treasury Office) ର ସିନିୟର ଆକାଉଣ୍ଟାଣ୍ଟ କୃଷ୍ଣଚନ୍ଦ୍ର ବେହେରା,ପୁରୀ ସଡକ ଓ ଗୃହ ନିର୍ମାଣ ବିଭାଗ ବରିଷ୍ଠ ସହାୟକ ବିଶ୍ବନାଥ ଦାସ, ଭୁବନେଶ୍ବର ସଡକ ଓ ଗୃହ ନିର୍ମାଣ ବିଭାଗ ପିଅନ କୁମୁଦ ସାହୁ।
ସୂଚନା ଥାଉକି ଆର୍ଥିକ ବର୍ଷ ୨୦୨୨-୨୩ ରୁ ୨୦୨୫-୨୬ ମଧ୍ୟରେ ନକଲି ମଞ୍ଜୁରୀ ଆଦେଶ ଏବଂ ବିଲ୍ ପ୍ରସ୍ତୁତ କରି ସରକାରୀ ପାଣ୍ଠିରୁ ୯,୨୪,୧୦,୧୯୩ ଟଙ୍କା ବେଆଇନ ଭାବେ ନିଜର ଏବଂ ସହଯୋଗୀମାନଙ୍କ ବ୍ୟକ୍ତିଗତ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ଏହି ମାମଲାର ମୁଖ୍ୟ ସୂତ୍ରଧର ସେକ୍ସନ ଅଫିସର ବନଲତା ମହାନ୍ତି ଏବଂ ଜୁନିଅର ଆସିଷ୍ଟାଣ୍ଟ ବିଭୁଦତ୍ତ ନାୟକଙ୍କୁ ଗିରଫ କରାଯାଇଥିଲା । ଏହାପରେ ସେମାନଙ୍କ ସହ ସମ୍ପୃକ୍ତ ଥିବା ଅନ୍ୟ ୪ ଜଣ କର୍ମଚାରୀ ଦୀପକ କୁମାର ରାଉତରାୟ, ଲକ୍ଷ୍ମଣ ବିଶ୍ୱାଳ, ରାଜୀବ ଲୋଚନ ସେନାପତି ଏବଂ ସୌମ୍ୟରଞ୍ଜନ ମହାପାତ୍ରଙ୍କୁ ମଧ୍ଯ ଗିରଫ କରାଯାଇଥିଲା ।
ଭିଜିଲାନ୍ସ ବିଭାଗ ପକ୍ଷରୁ ଏହି ଘଟଣାରେ ସମ୍ପୃକ୍ତ ପ୍ରାୟ ୭୭ଟି ବ୍ୟାଙ୍କ ଆକାଉଣ୍ଟର ଯାଞ୍ଚ କରୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୩.୯୬ କୋଟି ଟଙ୍କା ଫ୍ରିଜ୍ କରାଯାଇ ସାରିଛି । ସମସ୍ତ ଗିରଫ ଅଭିଯୁକ୍ତଙ୍କୁ ଭୁବନେଶ୍ୱରସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଛି ।