ଭୁବନେଶ୍ୱର: ବଦଳୁଛି ଯୁଗ, ବଦଳୁଛି ଯୋଗାଯୋଗର ଶୈଳୀ। ଏବେ କେବଳ ପ୍ରେସ୍ ରିଲିଜ୍ ଜାରି କରିଦେଲେ ସରିବନି, ସୋସିଆଲ ମିଡିଆ ଓ କୃତ୍ରିମ ବୁଦ୍ଧିମତ୍ତା (AI)ର ସଠିକ୍ ବ୍ୟବହାର କରି ଲୋକଙ୍କ ସହ ଯୋଡ଼ି ହେବାକୁ ପଡ଼ିବ। ଓଡ଼ିଶା ସୂଚନା ସେବା (OIS) ଅଧିକାରୀଙ୍କୁ ଏଭଳି ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଭୁବନେଶ୍ୱରସ୍ଥିତ ଷ୍ଟେଟ୍ କନଭେନସନ୍ ସେଣ୍ଟରରେ ‘ସୋସିଆଲ ମିଡିଆରେ ଉଦୀୟମାନ ଧାରା’ ଶୀର୍ଷକ ଏକ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅଭିଭାଷଣ ଦେଇ ମୁଖ୍ୟମନ୍ତ୍ରୀ ଆଧୁନିକ ଜନସମ୍ପର୍କର ଗୁରୁତ୍ୱ ଉପରେ ଜୋର୍ ଦେଇଥିଲେ।
କେବଳ ପ୍ରେସ୍ ରିଲିଜ୍ରେ ସୀମିତ ନରୁହନ୍ତୁ
ମୁଖ୍ୟମନ୍ତ୍ରୀ କହିଥିଲେ, ସୂଚନା ଅଧିକାରୀଙ୍କ ଦାୟିତ୍ୱ କେବଳ ସରକାରୀ ଖବର ଜାରି କରିବାରେ ସୀମିତ ନୁହେଁ। ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଏକ ସକ୍ରିୟ ସେତୁ ଭାବେ ସେମାନଙ୍କୁ କାର୍ଯ୍ୟ କରିବାକୁ ହେବ।
ସୋସିଆଲ ମିଡିଆକୁ କେବଳ ସୂଚନା ପ୍ରସାରର ମାଧ୍ୟମ ଭାବେ ନଦେଖି ଲୋକଙ୍କ ମତାମତ, ଅଭିଯୋଗ ଓ ଆବଶ୍ୟକତା ବୁଝିବାର ଏକ ପ୍ରଭାବଶାଳୀ ମଞ୍ଚ ଭାବେ ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଥିଲେ।
AI ଓ ChatGPTର ହେଉ ସଦୁପଯୋଗ
ବର୍ତ୍ତମାନ ଡିଜିଟାଲ୍ ଯୁଗରେ AI ଓ ChatGPT ଭଳି ନୂଆ ପ୍ରଯୁକ୍ତିର ବ୍ୟବହାର ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ସରଳ ଓ ପ୍ରଭାବଶାଳୀ କରିପାରିବ। ତେଣୁ ଅଧିକାରୀମାନେ ଏହି ପ୍ରଯୁକ୍ତିକୁ ଆପଣାଇବା ସହ ଏହାର ଦାୟିତ୍ୱପୂର୍ଣ୍ଣ ଓ ରଚନାତ୍ମକ ବ୍ୟବହାର କରିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ସରକାରୀ ଯୋଜନା ଓ ଜନକଲ୍ୟାଣମୂଳକ କାର୍ଯ୍ୟର ସୂଚନା ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ସହ ସକାରାତ୍ମକ ଓ ଗୁଣାତ୍ମକ ବିଷୟବସ୍ତୁ ପ୍ରସ୍ତୁତି ଉପରେ ସେ ଗୁରୁତ୍ୱ ଦେଇଥିଲେ।
ସୁଭଦ୍ରା ଯୋଜନା ଓ ଲକ୍ଷପତି ଦିଦିଙ୍କ ଉପରେ ଫୋକସ୍
ମହିଳା ସଶକ୍ତୀକରଣ ପାଇଁ ସୁଭଦ୍ରା ଯୋଜନା ଏବଂ ଲକ୍ଷପତି ଦିଦିଙ୍କ ଭଳି ପଦକ୍ଷେପର ସଫଳତାକୁ ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ସୋସିଆଲ ମିଡିଆର ସହାୟତା ନେବା ଉପରେ ମୁଖ୍ୟମନ୍ତ୍ରୀ ଜୋର୍ ଦେଇଥିଲେ।
ସରକାରୀ ଯୋଜନା ସମ୍ପର୍କରେ ସ୍ୱଚ୍ଛ, ସହଜ ଓ ବୁଝିବା ଭଳି ସୂଚନା ଲୋକଙ୍କୁ ମିଳିଲେ ଏହାର ସୁଫଳ ଅଧିକ ଲୋକଙ୍କ ପାଖରେ ପହଞ୍ଚିପାରିବ। ଡିଜିଟାଲ୍ ପ୍ରଯୁକ୍ତି ଓ ଦାୟିତ୍ୱପୂର୍ଣ୍ଣ ଯୋଗାଯୋଗ ମାଧ୍ୟମରେ ଜନସାଧାରଣଙ୍କ ସହ ସରକାରଙ୍କ ସମ୍ପର୍କକୁ ଅଧିକ ମଜଭୁତ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ।