ନୂଆଦିଲ୍ଲୀ: ଏଣିକି କେବଳ ମୋବାଇଲ୍ ଟାୱାର ନୁହେଁ, ମହାକାଶରୁ ମଧ୍ୟ ମିଳିବ କନେକ୍ଟିଭିଟି! ଦେଶର ଦୁର୍ଗମ ଅଞ୍ଚଳରେ ନେଟୱର୍କ ପହଞ୍ଚାଇବାକୁ ରିଲାଏନ୍ସ ଜିଓ ପ୍ରସ୍ତୁତ କରୁଛି ବଡ଼ ଯୋଜନା। ପ୍ରାୟ ୧,୬୦୦ଟି ସାଟେଲାଇଟ୍ ଏବଂ ଭାରତରେ ୨୩ଟି ଗ୍ରାଉଣ୍ଡ ଷ୍ଟେସନ୍କୁ ନେଇ ଏକ ସାଟେଲାଇଟ୍ ନେଟୱର୍କ ସ୍ଥାପନ କରିବାର ପ୍ରସ୍ତାବ ରହିଛି। ଏହା ମାଧ୍ୟମରେ ଗାଁଠାରୁ ସମୁଦ୍ର, ସୀମାନ୍ତ ଅଞ୍ଚଳଠାରୁ ଦୂରଦୂରାନ୍ତର କାର୍ଯ୍ୟସ୍ଥଳ ପର୍ଯ୍ୟନ୍ତ ସଂଯୋଗ ବଢ଼ାଇବାକୁ ଲକ୍ଷ୍ୟ ରଖିଛି କମ୍ପାନୀ।
ଦିଲ୍ଲୀରେ ଆୟୋଜିତ ଇଣ୍ଡିଆ ମୋବାଇଲ୍ କଂଗ୍ରେସ୍ ୨୦୨୬ରେ ଜିଓ ଏହି ଭବିଷ୍ୟତ ଯୋଜନାର ଝଲକ ଦେଖାଇଛି। କମ୍ପାନୀ ଏହାକୁ ‘ସୋଭରେନ୍ ସାଟେଲାଇଟ୍ କନେକ୍ଟିଭିଟି’ ଭାବେ ଉପସ୍ଥାପନ କରିଛି। ଅର୍ଥାତ୍, ସାଟେଲାଇଟ୍ ନେଟୱର୍କର ଡିଜାଇନ୍ଠାରୁ ଆରମ୍ଭ କରି ନିର୍ମାଣ, ପରୀକ୍ଷଣ, ଉତ୍କ୍ଷେପଣ ଓ ପରିଚାଳନା ପର୍ଯ୍ୟନ୍ତ ଭାରତର ନିୟନ୍ତ୍ରଣକୁ ଗୁରୁତ୍ୱ ଦେବା ଏହି ଯୋଜନାର ଏକ ପ୍ରମୁଖ ଉଦ୍ଦେଶ୍ୟ।
୬ ଲକ୍ଷରୁ ଅଧିକ ଗାଁ ଉପରେ ନଜର
ଜିଓର ପ୍ରଦର୍ଶନୀରେ ୬ ଲକ୍ଷରୁ ଅଧିକ ଗାଁ ସମେତ ଦେଶର ଭୂଭାଗ ଓ ସାମୁଦ୍ରିକ ଅଞ୍ଚଳକୁ କନେକ୍ଟିଭିଟି ଯୋଗାଇବାର ଲକ୍ଷ୍ୟ ଦର୍ଶାଯାଇଛି। ଯେଉଁଠି ମୋବାଇଲ୍ ଟାୱାର କିମ୍ବା ଫାଇବର ନେଟୱର୍କ ପହଞ୍ଚିବା କଷ୍ଟକର, ସେଠାରେ ସାଟେଲାଇଟ୍ ସଂଯୋଗ ଏକ ବିକଳ୍ପ ହୋଇପାରେ। ଦୁର୍ଗମ ଗ୍ରାମ, ଦ୍ୱୀପାଞ୍ଚଳ ଓ ସୀମାନ୍ତ ଅଞ୍ଚଳ ଏହି ଯୋଜନାର ପ୍ରମୁଖ ଫୋକସ୍ରେ ରହିଛି।
ଏହା ବ୍ୟତୀତ ବିମାନ ଚଳାଚଳ, ସାମୁଦ୍ରିକ ପରିବହନ, ପ୍ରତିରକ୍ଷା, ସରକାରୀ ସଂସ୍ଥା ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ମଧ୍ୟ ଏହି ନେଟୱର୍କ ଉପଯୋଗୀ ହୋଇପାରିବ। ଗ୍ରାମାଞ୍ଚଳରେ ଡାଇରେକ୍ଟ-ଟୁ-ଡିଭାଇସ୍ କଲିଂର ସମ୍ଭାବନା ମଧ୍ୟ ଏଥିରେ ଉଲ୍ଲେଖ କରାଯାଇଛି।
ମହାକାଶ ଓ ଭୂଭାଗକୁ ଯୋଡ଼ିବ ୨୩ଟି ଗ୍ରାଉଣ୍ଡ ଷ୍ଟେସନ୍
ଏହି ଯୋଜନାରେ ୨୩ଟି ଗ୍ରାଉଣ୍ଡ ଷ୍ଟେସନ୍ ଗୁରୁତ୍ୱପୂର୍ଣ୍ଣ ହେବ। ଏଗୁଡ଼ିକ ସାଟେଲାଇଟ୍ ନେଟୱର୍କକୁ ଭୂଭାଗରେ ଥିବା ଜିଓର ମୋବାଇଲ୍ ଓ ଫାଇବର ନେଟୱର୍କ ସହ ଯୋଡ଼ିବାରେ ସହାୟକ ହେବ।
ଚଳିତ ବର୍ଷର ଇଣ୍ଡିଆ ମୋବାଇଲ୍ କଂଗ୍ରେସ୍ର ଥିମ୍ ହେଉଛି ‘Scale Without Boundaries’। ପାରମ୍ପରିକ ନେଟୱର୍କର ସୀମା ଡେଇଁ ଟେକ୍ନୋଲୋଜିକୁ ଆହୁରି ଆଗକୁ ନେବାର ଚିନ୍ତାଧାରା ଏହି ଥିମ୍ରେ ପ୍ରତିଫଳିତ ହୋଇଛି। ତେବେ ୧,୬୦୦ ସାଟେଲାଇଟ୍ ଓ ୨୩ଟି ଗ୍ରାଉଣ୍ଡ ଷ୍ଟେସନ୍ ବର୍ତ୍ତମାନ ପ୍ରସ୍ତାବିତ ଯୋଜନାର ଅଂଶ। ଏହା କାର୍ଯ୍ୟକାରୀ ହେଲେ ଭାରତର ଡିଜିଟାଲ୍ କନେକ୍ଟିଭିଟିକୁ ନୂଆ ଦିଗ ମିଳିବାର ସମ୍ଭାବନା ରହିଛି।