ଭୁବନେଶ୍ୱର: ପୁଣି ବଦଳିବ ପାଗ! ଅକ୍ଟୋବର ୧୩ ତାରିଖ ବେଳକୁ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (IMD) ପୂର୍ବାନୁମାନ କରିଛି। ତେବେ ଏହି ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ କେତେ ରହିବ, ତାହା ଉପରେ ଏବେ ନଜର ରହିଛି।
ପାଣିପାଗ ବିଭାଗର ଆକଳନ ଅନୁସାରେ, ବର୍ତ୍ତମାନ ଥାଇଲାଣ୍ଡ ଉପସାଗର ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାସହ ଆସନ୍ତାକାଲି ଆଣ୍ଡାମାନ ସାଗର ଉପରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଉଭୟ ଘୂର୍ଣ୍ଣିବଳୟର ପ୍ରଭାବରେ ଅକ୍ଟୋବର ୧୩ ତାରିଖ ବେଳକୁ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ।
ଲଘୁଚାପ ନେବ କି ଅବପାତର ରୂପ?
ଲଘୁଚାପ ସୃଷ୍ଟି ହେବା ପରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ତେବେ ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ଅବପାତ କିମ୍ବା ଗଭୀର ଅବପାତର ରୂପ ନେବ କି ନାହିଁ, ସେନେଇ ଏବେଠାରୁ ସ୍ପଷ୍ଟ ଆକଳନ କରିବା ସମ୍ଭବ ହୋଇନାହିଁ।
ଓଡ଼ିଶାରେ ବର୍ଷା ହେବ କି?
ଏହି ଲଘୁଚାପର ଗତିପଥ ଓ ତୀବ୍ରତାକୁ ନେଇ ବିଭିନ୍ନ ପାଣିପାଗ ମଡେଲ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି। ତେଣୁ ଓଡ଼ିଶାରେ ବର୍ଷାର ପରିମାଣ, ସମ୍ଭାବ୍ୟ ପ୍ରଭାବ ଏବଂ ଲଘୁଚାପର ପରବର୍ତ୍ତୀ ଗତିପଥ ସମ୍ପର୍କରେ ଏବେଠାରୁ ନିଶ୍ଚିତ ଭାବେ କିଛି କହିହେବ ନାହିଁ। ଆଗାମୀ ଦିନରେ ପାଣିପାଗ ବିଭାଗର ନୂଆ ଆକଳନ ଉପରେ ନଜର ରହିବ। ଲଘୁଚାପର ସ୍ଥିତି ସ୍ପଷ୍ଟ ହେବା ପରେ ଓଡ଼ିଶାରେ ଏହାର ପ୍ରଭାବ ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିବ।