ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ୍ ମଚ୍ଛାରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବେସାମରିକ ବୀରତ୍ୱ ସମ୍ମାନ "ପ୍ରେସିଡେନ୍ସିଆଲ୍ ଆୱାର୍ଡ ଫର ସିଭିଲିଆନ୍ ହିରୋଇଜିମ୍" (Presidential Award for Civilian Heroism) ପ୍ରଦାନ କରାଯିବ । ଇସ୍ରାଏଲ ରାଷ୍ଟ୍ରପତି ଆଇଜାକ୍ ହରଜୋଗ୍ ଏହି ବଡ ଘୋଷଣା କରିଛନ୍ତି।ରାଷ୍ଟ୍ରପତି କହିଛନ୍ତି, ପାଇଲଟ୍ ସ୍ମିତ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ସେ ନିଜେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିବେ।
ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ନିଜେ କ୍ୟାପ୍ଟେନ୍ ସ୍ମିତ୍ଙ୍କ ସହ ଫୋନରେ କଥା ହୋଇ ତାଙ୍କୁ ଇସ୍ରାଏଲ ଓ ସାରା ବିଶ୍ୱର "ହିରୋ" ବୋଲି ସମ୍ବୋଧନ କରିଛନ୍ତି। ଏହା ସହିତ ଇସ୍ରାଏଲର ସ୍ୱାଧୀନତା ଦିବସର ମଶାଲ ପ୍ରଜ୍ୱଳନ ସମାରୋହରେ ସାମିଲ ହେବା ପାଇଁ ସେ କ୍ୟାପ୍ଟେନ୍ ସ୍ମିତ୍ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି।
ସୂଚନା ଥାଉକି ଗତ ସେପ୍ଟେମ୍ବର ୩୦, ୨୦୨୬ରେ ଦୁବାଇରୁ ତେଲ୍ ଆଭିଭ୍ ଅଭିମୁଖେ ଯାଉଥିବା ଫ୍ଲାଇଦୁବାଇ ବିମାନ (Flight FZ 1073) ର କକପିଟ୍ ଭିତରେ ଜଣେ ଉଗ୍ରବାଦୀ ଓମାନୀ ସହ-ପାଇଲଟ୍, କ୍ୟାପ୍ଟେନ୍ ସ୍ମିତ୍ ମଚ୍ଛାରଙ୍କୁ କ୍ରାସ୍ କୁରାଢ଼ି ସାହାଯ୍ୟରେ ଆକ୍ରମଣ କରି ବିମାନକୁ କ୍ରାସ୍ କରିବାକୁ ଚେଷ୍ଟା କରିଥିଲା। ତେବେ ଗୁରୁତର ଆହତ ଏବଂ ପ୍ରଚୁର ରକ୍ତସ୍ରାବ ସତ୍ତ୍ୱେ କ୍ୟାପ୍ଟେନ୍ ମଚ୍ଛାର ସାହସ ହରାଇନଥିଲେ। ସେ କକପିଟ୍ ର ଦ୍ୱାର ଖୋଲିବାରେ ସଫଳ ହୋଇଥିଲେ, ଯାହାଫଳରେ ଯାତ୍ରୀମାନେ ଭିତରକୁ ଆସି ଆକ୍ରମଣକାରୀକୁ କାବୁ କରିନେଇଥିଲେ। ତାଙ୍କର ଏହି ତତ୍କାଳୀନ ବୁଦ୍ଧି ଓ ସାହସିକତା ଯୋଗୁଁ ୧୭୪ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କ ଜୀବନ ବଞ୍ଚିଯାଇଥିଲା।
ଏହି ସାହସିକତା ପାଇଁ ତାଙ୍କୁ ସାରା ବିଶ୍ବରୁ ପ୍ରଶଂସାର ଛୁଅ ଛୁଟିଛି। ଆହୁରି ମଧ୍ଯ ଇସ୍ରାଏଲ ପକ୍ଷରୁ ତାଙ୍କୁ ଜୀବନସାରା ପାଇଁ ମାଗଣା ବିମାନ ଯାତ୍ରା ଟିକେଟ୍ ମଧ୍ୟ ପ୍ରଦାନ କରାଯାଇଛି। ଏହି ସାହସିକତା ପାଇଁ ଗୁଜରାଟ ସରକାର ମଧ୍ୟ ତାଙ୍କୁ ସମ୍ମାନିତ କରିବେ।
ବର୍ତ୍ତମାନ କ୍ୟାପ୍ଟେନ୍ ସ୍ମିତ୍ ମଚ୍ଛାର ୟୁଏଇ ର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ଏବଂ ଧୀରେ ଧୀରେ ସୁସ୍ଥ ହେଉଛନ୍ତି।