ମାଲକାନଗିରି: ଆନ୍ଧ୍ର ସୀମାନ୍ତରେ ପୁଲିସର ବଡ଼ ଧରଣର ଚଢ଼ାଉ। ମାଲକାନଗିରି ଜିଲ୍ଲା ସଦରାମ ଗାଁ ନିକଟ ଏକ ଘଞ୍ଚ ଜଙ୍ଗଲରୁ ପ୍ରାୟ ୧୫୦୦ କେଜି ଗଞ୍ଜେଇ ଜବତ କରିଛି ଯୋଡ଼ାମ୍ବ ଥାନା ପୁଲିସ। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟି ୫୦ ଲକ୍ଷ ଟଙ୍କା ହେବ ବୋଲି ପୁଲିସ କହିଛି।
ସୂଚନା ଅନୁସାରେ, ହିଲ୍ ଫରେଷ୍ଟ ଅଞ୍ଚଳର ଏକ ଗାତରେ ବିପୁଳ ପରିମାଣର ଗଞ୍ଜେଇ ଲୁଚାଇ ରଖାଯାଇଥିବା ନେଇ ପୁଲିସକୁ ଗୁଇନ୍ଦା ସୂଚନା ମିଳିଥିଲା। ଏହାପରେ ଯୋଡ଼ାମ୍ବ ଥାନା IIC ମନୋରଞ୍ଜନ ସାହୁଙ୍କ ନେତୃତ୍ୱରେ ଏକ ଟିମ୍ ଚଢ଼ାଉ କରିଥିଲା।
ଅପରେସନରେ ASI ଅନନ୍ତ କୁମାର ନାୟକ ଓ ASI ସିମାଞ୍ଚଳ ପାତ୍ରଙ୍କ ସମେତ ପୁଲିସ କର୍ମଚାରୀ ସାମିଲ ଥିଲେ। ଖୋଜାଖୋଜି ବେଳେ ଗାତରୁ ବିପୁଳ ପରିମାଣର ଗଞ୍ଜେଇ ମିଳିଥିଲା। ଏହା ସହିତ ଗଞ୍ଜେଇ ପ୍ୟାକିଂରେ ବ୍ୟବହୃତ ହେଉଥିବା ୪ଟି ଲୁହା ପ୍ରେସିଂ ଚେଷ୍ଟ ମଧ୍ୟ ଜବତ କରାଯାଇଛି।
ଏହି ଘଟଣାରେ ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇନାହିଁ। ଯୋଡ଼ାମ୍ବ ଥାନାରେ କେସ୍ ନମ୍ବର ୩୬/୨୦୨୬ ରୁଜୁ କରାଯାଇ NDPS ଆକ୍ଟର ଧାରା ୨୦(b)(ii)(c) ଅନୁଯାୟୀ ତଦନ୍ତ ଚାଲିଛି।
ଚିତ୍ରକୋଣ୍ଡା SDPO ପ୍ରଦୋଷ ପ୍ରଧାନଙ୍କ ସୂଚନା ଅନୁସାରେ, ମାଲକାନଗିରି SP ବିନୋଦ ପାଟିଲଙ୍କ ନିର୍ଦ୍ଦେଶରେ ଗଞ୍ଜେଇ ଚୋରାଚାଲାଣ ବିରୋଧରେ ଅଭିଯାନ ଜାରି ରହିଛି। ଚୋରାଚାଲାଣ ରାକେଟ୍ରେ ସମ୍ପୃକ୍ତ ଲୋକଙ୍କୁ ଧରିବା ପାଇଁ ପୁଲିସର ଖୋଜାଖୋଜି ଜାରି ରହିଛି।