ଭୁବନେଶ୍ୱର: ଓଡ଼ିଶାରୁ ବିଦାୟ ନେଉଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା। ପାଣିପାଗ ବିଭାଗର ସୂଚନା ଅନୁସାରେ, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର କିଛି ଅଞ୍ଚଳରୁ ମୌସୁମୀ ବାୟୁ ଫେରିବା ଆରମ୍ଭ କରିଛି।
ଆଗାମୀ ୩ରୁ ୪ ଦିନ ମଧ୍ୟରେ ପୂର୍ବ ଭାରତର ଆହୁରି କିଛି ଅଞ୍ଚଳରୁ ମୌସୁମୀ ବିଦାୟ ନେବା ପାଇଁ ପାଗ ଅନୁକୂଳ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଆସନ୍ତା ୧୫ ତାରିଖ ସୁଦ୍ଧା ଓଡ଼ିଶାରୁ ସମ୍ପୂର୍ଣ୍ଣ ଭାବେ ମୌସୁମୀ ବିଦାୟ ନେଇପାରେ ବୋଲି ଅନୁମାନ କରାଯାଉଛି।
ସାଧାରଣତଃ ଏହି ସମୟ ବେଳକୁ ରାଜ୍ୟରୁ ମୌସୁମୀ ବିଦାୟ ନେଇଥାଏ। ତେବେ ଚଳିତ ମୌସୁମୀ ଋତୁରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଭଲ ବର୍ଷା ରେକର୍ଡ ହୋଇଛି।
ମୌସୁମୀ ଫେରିବା ସହ ଧୀରେ ଧୀରେ ପାଗରେ ପରିବର୍ତ୍ତନ ଆସିବା ସମ୍ଭାବନା ରହିଛି। ବର୍ଷାର ପ୍ରଭାବ କମିବା ସହ ଆଗାମୀ ଦିନରେ ତାପମାତ୍ରା ଓ ପାଗରେ ପରିବର୍ତ୍ତନ ଅନୁଭୂତ ହୋଇପାରେ। ଏବେ ରାଜ୍ୟରୁ ମୌସୁମୀ ବିଦାୟର ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଶୀତ ଋତୁ ଆଗମନ ପାଇଁ ମଧ୍ୟ ପାଗ ଧୀରେ ଧୀରେ ପ୍ରସ୍ତୁତ ହେବ ବୋଲି ଆଶା କରାଯାଉଛି।