ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି (ଓସାକ୍ସ)ର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି ଡାକ୍ତର ମିଶ୍ର। ନୂଆ ଦାୟିତ୍ୱ ଗ୍ରହଣ ପରେ ଓସାକ୍ସର ଅଧିକାରୀ ଓ କର୍ମଚାରୀମାନେ ତାଙ୍କୁ ସ୍ୱାଗତ କରିଥିଲେ। ଏହି ଅବସରରେ ଓସାକ୍ସ ପକ୍ଷରୁ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ତାଙ୍କୁ ସଂକ୍ଷିପ୍ତ ବିବରଣୀ ଦିଆଯାଇଥିଲା।
ଦାୟିତ୍ୱ ଗ୍ରହଣ ପରେ ଡ. ମିଶ୍ର ଏଚ୍ଆଇଭି/ଏଡ୍ସ ନିୟନ୍ତ୍ରଣ ଓ ନିରାକରଣ ଦିଗରେ ଓସାକ୍ସର କାର୍ଯ୍ୟକ୍ରମକୁ ଆହୁରି ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଏଥିପାଇଁ ସମସ୍ତଙ୍କ ସହଯୋଗ, ସମର୍ଥନ ଓ ସକ୍ରିୟ ଅଂଶଗ୍ରହଣ ଆବଶ୍ୟକ ବୋଲି ସେ କହିଥିଲେ।
ବିଶେଷକରି ୨୦୩୦ ସୁଦ୍ଧା ଏଡ୍ସ ମୂଳୋତ୍ପାଟନ ପାଇଁ ମିଳିତ ଜାତିସଂଘର ଲକ୍ଷ୍ୟ ହାସଲ ଦିଗରେ ସମସ୍ତେ ଏକାଠି ହୋଇ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ଡ. ମିଶ୍ର ପରାମର୍ଶ ଦେଇଥିଲେ। ସକାରାତ୍ମକ ଚିନ୍ତାଧାରା ସହ ଏଚ୍ଆଇଭି/ଏଡ୍ସ ନିୟନ୍ତ୍ରଣ ଓ ନିରାକରଣ କାର୍ଯ୍ୟକୁ ଆଗକୁ ବଢ଼ାଇବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ସୂଚନାଯୋଗ୍ୟ, ଡାକ୍ତର ମିଶ୍ର ଏହା ପୂର୍ବରୁ ଗଞ୍ଜାମ ଜିଲ୍ଲାର ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ (CDM&PHO) ଭାବେ କାର୍ଯ୍ୟରତ ଥିଲେ।