ଭୁବନେଶ୍ୱର : ରାଜଧାନୀରେ ଟଳିଗଲା ଏକ ବଡ ଅଘଟଣ। ଭୁବନେଶ୍ୱରର ଶୈଳଶ୍ରୀ ବିହାର ଅଞ୍ଚଳରେ ଡ୍ରେନ୍ ସଫା କରାଯାଉଥିବା ସମୟରେ ଏକ ଜେସିବି ମାଡ଼ରେ ଭୂତଳ ଗ୍ୟାସ୍ ପାଇପ୍ ଲାଇନ୍ ଫାଟିଯାଇଛି। ଏହି ଦୁର୍ଘଟଣା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଗ୍ୟାସ୍ ଲିକ୍ ହୋଇ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା ।
ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀ ବିହାର, ସାଇ ମନ୍ଦିର ଛକ ଅଞ୍ଚଳରେ ଭୁବନେଶ୍ୱର ମହାନଗର ନିଗମ (BMC) ପକ୍ଷରୁ ଚାଲିଥିବା ଡ୍ରେନ୍ ସଫା ଏବଂ ମରାମତି କାର୍ଯ୍ୟ ବେଳେ ଜେସିବି ଖୋଳୁଥିବା ସମୟରେ ଏହି ଅଘଟଣ ଘଟିଥିଲା । ପାଇପ୍ ଫାଟିବା ଯୋଗୁଁ ଦୀର୍ଘ ୪୦ ମିନିଟ୍ ଧରି ପ୍ରବଳ ମାତ୍ରାରେ ଗ୍ୟାସ୍ ଲିକ୍ ହୋଇଥିଲା, ଯାହା ଫଳରେ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇପଡ଼ିଥିଲେ ।
ଖବର ପାଇ ଅଗ୍ନିଶମ ବାହିନୀ ଏବଂ GAIL (ଗେଲ୍) ଗ୍ୟାସ୍ କମ୍ପାନୀର ବୈଷୟିକ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ୍ ସଂଯୋଗକୁ ବନ୍ଦ କରିବା ସହ ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ଯାହାଫଳରେ ଏକ ବଡ଼ ବିପଦ ଟଳିଯାଇଛି ଏବଂ ମରାମତି କାର୍ଯ୍ୟ ଜାରି ରହିଛି ।