ସମ୍ବଲପୁର: କୁଚିଣ୍ଡାରେ ଥମୁନି ହାତୀ ଆତଙ୍କ। ହାତୀପଲ ଆକ୍ରମଣରେ ପୁଣି ଜଣେ ମହିଳାଙ୍କ ଜୀବନ ଯାଇଛି। ସକାଳୁ ଶୌଚ ପାଇଁ ଘରୁ ବାହାରିଥିବା ମହିଳା ଆଉ ଘରକୁ ଫେରିପାରିଲେ ନାହିଁ। ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ସଇଡ଼ା ଅଞ୍ଚଳରେ ଘଟିଥିବା ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚିନ୍ତା ବଢ଼ାଇଛି। ମୃତ ମହିଳା ହେଉଛନ୍ତି ଅଞ୍ଜଳି କୁସୁମ।
ମିଳିଥିବା ସୂଚନା ଅନୁସାରେ, ସକାଳେ ଅଞ୍ଜଳି ଶୌଚ ପାଇଁ ଯାଇଥିବା ବେଳେ ହଠାତ୍ ଏକ ୬ଟିକିଆ ହାତୀପଲ ସାମ୍ନାକୁ ଆସିଯାଇଥିଲା। ହାତୀଙ୍କ ଆକ୍ରମଣରେ ସେ ଗୁରୁତର ହୋଇପଡ଼ିଥିଲେ ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ଗତକାଲିଠାରୁ କୁଚିଣ୍ଡା ଅଞ୍ଚଳରେ ହାତୀଙ୍କ ଉପଦ୍ରବ ଜାରି ରହିଛି। ଏବେ ୬ଟିକିଆ ହାତୀପଲର ଚଳପ୍ରଚଳକୁ ନେଇ ଅଞ୍ଚଳବାସୀ ଆତଙ୍କିତ ଅଛନ୍ତି। ହାତୀପଲ ଗାଁ ନିକଟରେ ବୁଲୁଥିବାରୁ ଲୋକଙ୍କ ସୁରକ୍ଷା ନେଇ ଚିନ୍ତା ବଢ଼ିଛି।
ଖବର ପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ହାତୀପଲକୁ ଅଞ୍ଚଳରୁ ଘଉଡ଼ାଇବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି। ଏଭଳି ଘଟଣା ପରେ ହାତୀ ଚଳପ୍ରଚଳ କରୁଥିବା ଅଞ୍ଚଳରେ ରହୁଥିବା ଲୋକଙ୍କୁ ଅଧିକ ସତର୍କ ରହିବା ଆବଶ୍ୟକ। ସକାଳୁ ଓ ସନ୍ଧ୍ୟାରେ ଏକୁଟିଆ ବାହାରକୁ ଯିବା, ଜଙ୍ଗଲ ନିକଟକୁ ଯିବା ଏବଂ ହାତୀପଲର ନିକଟତର ହେବା ବିପଦପୂର୍ଣ୍ଣ ହୋଇପାରେ। ତେଣୁ ବନ ବିଭାଗର ସତର୍କତା ସୂଚନା ମାନିବା ସହ ସୁରକ୍ଷିତ ରହିବା ଜରୁରୀ।