କଟକ: ଘର ଛାତ ଉପରେ ସୋଲାର ପ୍ୟାନେଲ୍ ଲଗାଇ ମିଳିବ ମାଗଣା ବିଜୁଳିର ସୁଯୋଗ। ଏନେଇ ଗାଁ ଗାଁରେ ସଚେତନତା ସୃଷ୍ଟି କରିବାକୁ ଅଣ୍ଟା ଭିଡ଼ିଛି ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍)। ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାର ପ୍ରଚାର ପ୍ରସାର ପାଇଁ କମ୍ପାନୀ ପକ୍ଷରୁ ଆରମ୍ଭ ହୋଇଛି ‘ସେବା ସଂକଳ୍ପ ଅଭିଯାନ’।
ଏହି ଅଭିଯାନ ଅଧୀନରେ ୯ଟି ଜିଲ୍ଲାରେ ସ୍ୱତନ୍ତ୍ର ‘ସେବା ସେତୁ’ ଶିବିର ଆୟୋଜନ କରାଯାଉଛି। ଏଠାରେ ରୁଫଟପ୍ ସୋଲାର ବା ଘର ଛାତ ଉପରେ ସୌର ପ୍ୟାନେଲ୍ ସ୍ଥାପନ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବା ସହ ଯୋଜନାର ଲାଭ ଉଠାଇବା ପାଇଁ ଆବଶ୍ୟକ ସହାୟତା ଦିଆଯାଉଛି।
ଏହି କ୍ରମରେ କଟକ ଜିଲ୍ଲାର ଟାଙ୍ଗୀ-ଚୌଦ୍ୱାର ବ୍ଲକରେ ଆୟୋଜିତ ସ୍ୱତନ୍ତ୍ର ଶିବିରକୁ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଉଦ୍ଘାଟନ କରିଥିଲେ। ଏଥିରେ ଅଭିନେତା ତଥା ରାଜନେତା ଅରିନ୍ଦମ ରାୟ, ସ୍ଥାନୀୟ ଲୋକେ ଓ ଟିପିସିଓଡିଏଲ୍ର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ସେପ୍ଟେମ୍ବର ୧୭ରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଅକ୍ଟୋବର ୧୭ ପର୍ଯ୍ୟନ୍ତ ଚାଲିବ। ଶିବିରରେ ଲୋକଙ୍କୁ ତ୍ୱରିତ ପଞ୍ଜୀକରଣ, ସବସିଡି ସମ୍ପର୍କିତ ସୂଚନା, ବ୍ୟାଙ୍କ ଋଣ ଓ ଅନୁମୋଦିତ ଭେଣ୍ଡର ଚୟନ ଆଦି କ୍ଷେତ୍ରରେ ସହାୟତା ମିଳୁଛି।
ଟିପିସିଓଡିଏଲ୍ ଅଞ୍ଚଳରେ ଏଯାବତ୍ ୭୭ ହଜାରରୁ ଅଧିକ ରୁଫଟପ୍ ସୋଲାର ସଂଯୋଗ ହୋଇଥିବା ବେଳେ ସମଗ୍ର ଓଡ଼ିଶାରେ ଏହି ସଂଖ୍ୟା ୨ ଲକ୍ଷ ୪୦ ହଜାରରୁ ଅଧିକ। ସ୍ୱଚ୍ଛ ଶକ୍ତିର ବ୍ୟବହାର ବଢ଼ାଇବା ସହ ସାଧାରଣ ଲୋକଙ୍କୁ ସୌର ଶକ୍ତିର ଲାଭ ସମ୍ପର୍କରେ ଅବଗତ କରାଇବା ହେଉଛି ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ।