ରାଞ୍ଚି: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ୫ ମ୍ୟାଚ୍ ବିଶିଷ୍ଟ ଟ୍ୱେଣ୍ଟି-୨୦ ସିରିଜର ଦ୍ୱିତୀୟ ମୁକାବିଲା ଆଜି ରାଞ୍ଚିସ୍ଥିତ JSCA ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ସନ୍ଧ୍ୟା ୭ଟାରେ ଖେଳାଯିବ। ପ୍ରଥମ ମ୍ୟାଚ୍ ଜିତି ଘରୋଇ ଭାରତୀୟ ଦଳ ସିରିଜରେ ୧-୦ରେ ଆଗୁଆ ରହିଛି। ଦ୍ୱିତୀୟ ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ଆଧିପତ୍ୟ ବଜାୟ ରଖିବାକୁ ଚେଷ୍ଟା କରିବ। ହେଲେ ଏହି ରୋମାଞ୍ଚକର ମ୍ୟାଚ୍ ପୂର୍ବରୁ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଆସିଛି ନିରାଶଜନକ ଖବର।
ଲକ୍ଷ୍ନୌରେ ଖେଳାଯାଇଥିବା ପ୍ରଥମ ଟ୍ୱେଣ୍ଟି-୨୦ରେ ପାଣିପାଗ ସମ୍ପୂର୍ଣ୍ଣ ଭଲ ରହିଥିଲାଏବଂ ପ୍ରଶଂସକମାନେ ପୂରା ମ୍ୟାଚର ଆନନ୍ଦ ନେଇଥିଲେ। କିନ୍ତୁ ରାଞ୍ଚିରେ ସେପରି ସ୍ଥିତି ନଦେଖାଯାଇପାରେ, କାରଣ ଏଠାରେ ବର୍ଷା ମ୍ୟାଚ୍ର ମଜା ବିଗାଡ଼ିବା ଆଶଙ୍କା ରହିଛି। ଆଜି ସନ୍ଧ୍ୟା ୬ ଟା୩୦ରେ ଟସ୍ ହେବାର ଥିବା ବେଳେ, ମ୍ୟାଚ୍ ଆରମ୍ଭର ଗୋଟିଏ ଘଣ୍ଟା ପୂର୍ବରୁ ପ୍ରାୟ ୪୯% ବର୍ଷା ସମ୍ଭାବନା ରହିଛି। ସନ୍ଧ୍ୟା ୭ଟାରେ ମ୍ୟାଚ୍ ଆରମ୍ଭ ବେଳକୁ ଏହା ୫୪%କୁ ବୃଦ୍ଧି ପାଇପାରେ।
ଖେଳ ଚାଲିଥିବା ସମୟରେ ମଧ୍ୟ ପାଣିପାଗରେ ବିଶେଷ ସୁଧାର ଆସିବାର ନାହିଁ। ରାତି ୮ଟାରେ ୫୫% ଏବଂ ୯ଟାରେ ୪୯% ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ଏହାପରେ ରାତି ୧୦ଟା ଓ ୧୧ଟାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି।
ନିୟମ ଅନୁସାରେ, ଟ୍ୱେଣ୍ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ର ଫଳାଫଳ ବାହାର କରିବା ପାଇଁ ଉଭୟ ଦଳ ଅନ୍ତତଃ ୫-୫ ଓଭର ଖେଳିବା ଜରୁରୀ। ଯଦି ବର୍ଷା ଯୋଗୁଁ ଖେଳ ବାଧାପ୍ରାପ୍ତ ହୁଏ, ତେବେ ଓଭର ସଂଖ୍ୟା କମାଯାଇପାରେ। ଯଦି ବର୍ଷା ନଥମେ, ତେବେ ମ୍ୟାଚ୍ ବିନା ଫଳାଫଳରେ ଶେଷ ହେବାର ସମ୍ପୂର୍ଣ୍ଣ ଆଶଙ୍କା ରହିଛି।
Also Read: ହକି ଏସିଆନ ଚାମ୍ପିଅନ୍ସ ଟ୍ରଫିରୁ ଓହରିଲା ପାକିସ୍ତାନ, ବାଂଲାଦେଶକୁ ମିଳିଲା ସୁଯୋଗ