ନୂଆଦିଲ୍ଲୀ: ଭାରତରେ ଆୟୋଜିତ ହେବାକୁ ଥିବା ହକି ଏସିଆନ ଚାମ୍ପିଅନ୍ସ ଟ୍ରଫିରୁ ପାକିସ୍ତାନ ଓହରି ଯାଇଛି । ପାକିସ୍ତାନ ହକି ଫେଡେରେସନ ଦଳର ସୁରକ୍ଷାକୁ ଦୃଷ୍ଟିରେ ରଖି ଚାମ୍ପିଅନ୍ସ ଟ୍ରଫିରୁ ନାମ ଅପସାରଣ କରିଛି । ବର୍ତ୍ତମାନ ପାକିସ୍ତାନ ସ୍ଥାନରେ ବାଂଲାଦେଶ ଦଳକୁ ଟ୍ରଫିରେ ଅଂଶ ଗ୍ରହଣ କରିବାକୁ ସୁଯୋଗ ମିଳିଛି ।
ପାକିସ୍ତାନ ହକି ଫେଡେରେସନ ଦଳର ସୁରକ୍ଷାର ଆଳରେ ଭାରତ-ପାକିସ୍ତାନ ମ୍ୟାଚକୁ ଅନ୍ୟତ୍ର ସ୍ଥାନାନ୍ତରଣ କରିବାକୁ ଏସିଆନ ହକି ଫେଡେରେସନକୁ ଅନୁରୋଧ କରିଥିଲା । ମାତ୍ର ଭାରତ ପାକିସ୍ତାନର ଦାବିକୁ ଅସ୍ୱୀକାର କରିଥିଲା । ଭାରତ ଯୁକ୍ତି ଦର୍ଶାଇଥିଲା ଯେ ଟୁର୍ଣ୍ଣାମେଣ୍ଟଟି ମୂଳ କାର୍ଯ୍ୟସୂଚୀ ଅନୁଯାୟୀ ଅନୁଷ୍ଠିତ ହେବ । ଅନ୍ୟପକ୍ଷରେ, ପାକିସ୍ତାନ କହିଥିଲା ଯେ ଖେଳାଳିଙ୍କ ସୁରକ୍ଷା ଓ ସମ୍ମାନ ହିଁ ସେମାନଙ୍କ ପାଇଁ ସର୍ବୋଚ୍ଚ ପ୍ରାଥମିକତା । ଭାରତ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ପରେ ପାକିସ୍ତାନ ସ୍ଥାନରେ ବାଂଲାଦେଶକୁ ଏହି ଟୁର୍ଣ୍ଣାମେଣ୍ଟରେ ସାମିଲ କରାଯାଇଛି ।
ଅକ୍ଟୋବର ୨୭ରୁ ଏସିଆନ ହକି ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେବାକୁ ଯାଉଛି । ନଭେମ୍ବର ୫ ତାରିଖରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଚଳିତବର୍ଷ ପାଇଁ ଭାରତ ଆୟୋଜକ ଦଳ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ 6ଟି ଦଳ ଅଂଶଗ୍ରହଣ କରିବେ, ଯଥା ଭାରତ, ମାଲେସିଆ, ଚୀନ୍, ଜାପାନ, ଦକ୍ଷିଣ କୋରିଆ ଏବଂ ବାଂଲାଦେଶ । ଏହି ମ୍ୟାଚ୍ ପଞ୍ଜାବର ଜଲନ୍ଧର ଏବଂ ମୋହାଲିରେ ଖେଳାଯିବ । ସମସ୍ତ ଲିଗ୍ ମ୍ୟାଚ୍ ଜଲନ୍ଧରସ୍ଥିତ ଅଲିମ୍ପିଆନ୍ ସୁରଜିତ୍ ସିଂହ ହକି ଷ୍ଟାଡିୟମରେ ଅନୁଷ୍ଠିତ ହେବ । ନକ୍-ଆଉଟ୍ ମ୍ୟାଚ୍ଗୁଡ଼ିକ ମୋହାଲିସ୍ଥିତ ଅଲିମ୍ପିଆନ୍ ବଲବୀର ସିଂହ ଆନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଖେଳାଯିବ।
ଏସିଆନ ଟ୍ରଫିରେ ଭାରତର ନିଜର ଆଧିପତ୍ୟ ବଜାୟ ରଖିଛି । ୨୦୧୧ ଆରମ୍ଭ ହୋଇଥିବା ଏହି ଟ୍ରଫିରେ ଭାରତ ୫ ଥର ବିଜୟୀ ହୋଇଛି । ୨୦୧୮ ବର୍ଷା ବାଧିତ ଫାଇନାଲ ମୁକାବିଲାରେ ଭାରତ-ପାକିସ୍ତାନ ଟ୍ରଫି ସେୟାର କରିଥିଲେ ।