ବ୍ରହ୍ମପୁର: ରିଲ୍ସ କରିବାର ନିଶା ନେଲା ଜୀବନ। ଗାର୍ଲଫ୍ରେଣ୍ଡଙ୍କ ସହ ରିଲ୍ସ କରୁଥିବା ବେଳେ ପାହାଡ଼ରୁ ଖସି ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ପ୍ରସିଦ୍ଧ ବାଙ୍କେଶ୍ୱରୀ ପୀଠ ଘାଟିରେ ଗୁରୁବାର ଅପରାହ୍ନରେ ଏହି ଦୁଃଖଦ ଘଟଣା ଘଟିଛି। ମୃତ ଯୁବକ ଜଣକ ବ୍ରହ୍ମପୁରର ସାଇ ଶଙ୍କର ପଣ୍ଡା ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ସାଇ ଶଙ୍କର ତାଙ୍କ ଗାର୍ଲଫ୍ରେଣ୍ଡଙ୍କ ସହ ବାଙ୍କେଶ୍ୱରୀ ପୀଠ ଘାଟି ବୁଲିବାକୁ ଯାଇଥିଲେ। ସେଠାରେ ପାହାଡ଼ ନିକଟରେ ଉଭୟ ରିଲ୍ସ କରୁଥିଲେ। ଏହି ସମୟରେ କୌଣସି କାରଣରୁ ଯୁବକଙ୍କ ଗୋଡ଼ ଖସିଯିବାରୁ ସେ ପାହାଡ଼ ତଳକୁ ଖସି ପଡ଼ିଥିଲେ। ତାଙ୍କ ସହ ଥିବା ଯୁବତୀ ଜଣକ ସୁରକ୍ଷିତ ଥିବା ବେଳେ ଯୁବକଙ୍କ କୌଣସି ପତ୍ତା ମିଳିନଥିଲା।
ଘଟଣା ସମ୍ପର୍କରେ ଖବର ପାଇ ଦିଗପହଣ୍ଡି ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଯୁବକଙ୍କୁ ଖୋଜିବା ପାଇଁ ଆରମ୍ଭ ହୋଇଥିଲା ବ୍ୟାପକ ସର୍ଚ୍ଚ ଅପରେସନ। ଦୀର୍ଘ ସମୟର ଖୋଜାଖୋଜି ପରେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଅନ୍ୟପଟେ ଘଟଣାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। କେଉଁ ପରିସ୍ଥିତିରେ ଯୁବକ ଜଣକ ପାହାଡ଼ରୁ ଖସି ପଡ଼ିଲେ, ସେନେଇ ତଦନ୍ତ ଚାଲିଛି।
ସୋସିଆଲ ମିଡିଆରେ ରିଲ୍ସ କରିବାର ବଢ଼ୁଥିବା କ୍ରେଜ୍ ଏବେ ଚିନ୍ତାର କାରଣ ପାଲଟିଛି। ବିପଦପୂର୍ଣ୍ଣ ସ୍ଥାନରେ ରିଲ୍ସ କରିବାର ନିଶା କେତେ ଭୟଙ୍କର ହୋଇପାରେ, ଏହି ଘଟଣା ପୁଣିଥରେ ତାହା ମନେ ପକାଇ ଦେଇଛି।