ଭୁବନେଶ୍ୱର: ବିଧାନସଭା ଶୀତକାଳୀନ ଅଧିବେଶନର ଗୁରୁବାର ଷଷ୍ଠ ଦିନ। ଆରମ୍ଭରୁ ହିଁ ଗୃହରେ ବିଭିନ୍ନ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମକୁ ନେଇ ରହିବ ବେଶ୍ ଗୁରୁତ୍ୱ। ଅନ୍ୟପଟେ ଶୂନ୍ୟକାଳରେ ଜନସମସ୍ୟା ଓ ବିଭିନ୍ନ ରାଜ୍ୟସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଅଡ଼ୁଆରେ ପକାଇବାକୁ ବିରୋଧୀ ପ୍ରସ୍ତୁତ ଥିବାରୁ ଗୃହରେ ପୁଣି ହଟ୍ଟଗୋଳ ହେବାର ଆଶଙ୍କା ରହିଛି।
ଗୁରୁବାର ପ୍ରଶ୍ନକାଳରେ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ, ସୂଚନା ଓ ଲୋକସମ୍ପର୍କ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଖଣି ଓ ଇସ୍ପାତ ଏବଂ ଯୋଜନା ଓ ସଂଯୋଜନ ବିଭାଗ ସମ୍ପର୍କିତ ପ୍ରଶ୍ନ ଉପରେ ଚର୍ଚ୍ଚା ହେବ। ବିଭିନ୍ନ ସରକାରୀ ଯୋଜନାର ସଫଳତା, ବିଭାଗୀୟ କାର୍ଯ୍ୟର ଅଗ୍ରଗତି ଓ ସାଧାରଣ ଲୋକଙ୍କ ସମସ୍ୟାକୁ ନେଇ ବିଧାୟକମାନେ ମନ୍ତ୍ରୀଙ୍କୁ ପ୍ରଶ୍ନ କରିବେ।
ସେହିପରି ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ର ଖର୍ଚ୍ଚ ଦାବି ଉପରେ ଗୃହରେ ଆଲୋଚନା ଜାରି ରହିବ। ଆଜିର କାର୍ଯ୍ୟସୂଚୀରେ ଖଣି ଓ ଇସ୍ପାତ ବିଭାଗର ଖର୍ଚ୍ଚ ଦାବି ରହିଛି। ଏହି ଆଲୋଚନା ସମୟରେ ରାଜ୍ୟର ଖଣିଜ ସମ୍ପଦର ପରିଚାଳନା, ଖଣିରୁ ମିଳୁଥିବା ରାଜସ୍ୱ, ଶିଳ୍ପର ସମ୍ପ୍ରସାରଣ ଓ ଇସ୍ପାତ କ୍ଷେତ୍ରର ବିକାଶ ଭଳି ପ୍ରସଙ୍ଗ ଉଠିପାରେ।
ବିଭାଗକୁ ଆବଣ୍ଟିତ ଅର୍ଥର ପରିମାଣ, ଖର୍ଚ୍ଚର ଉପଯୋଗିତା ଏବଂ ଭବିଷ୍ୟତର ବିକାଶମୂଳକ ଯୋଜନାକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ମତଭେଦ ଦେଖାଦେବା ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଶୂନ୍ୟକାଳ ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିବ। ଜନସାଧାରଣଙ୍କ ସ୍ୱାର୍ଥ ସହ ଜଡ଼ିତ ଏକାଧିକ ପ୍ରସଙ୍ଗକୁ ନେଇ ବିରୋଧୀ ଦଳର ସଦସ୍ୟମାନେ ସରକାରଙ୍କୁ ଘେରିବା ସହ ଜବାବ ମାଗିପାରନ୍ତି।
ଉଲ୍ଲେଖଯୋଗ୍ୟ, ଗତ ବୁଧବାର ବନ୍ୟା ପରିଚାଳନା ଓ କୋଟିଆ ପ୍ରସଙ୍ଗକୁ ନେଇ ବିଧାନସଭାରେ ତୀବ୍ର ଆଲୋଚନା ହୋଇଥିଲା। ବନ୍ୟା ମୁକାବିଲା ପାଇଁ ସରକାରଙ୍କ ପ୍ରସ୍ତୁତି, ରିଲିଫ୍ ଓ ପରିଚାଳନା ବ୍ୟବସ୍ଥାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିଲେ। ସେହିପରି କୋଟିଆକୁ କେନ୍ଦ୍ର କରି ଓଡ଼ିଶାର ସୀମା ସୁରକ୍ଷା, ରାଜ୍ୟର ଅଧିକାର ଓ ସୀମାନ୍ତ ଅଞ୍ଚଳର ସ୍ଥିତି ଉପରେ ମଧ୍ୟ ଆଲୋଚନା ହୋଇଥିଲା।