ଭୁବନେଶ୍ୱର: ବିପର୍ଯ୍ୟୟ ପରିଚାଳନା ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ବିରୋଧୀଙ୍କ ପ୍ରଶ୍ନର କଡ଼ା ଜବାବ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ସୁରେଶ ପୂଜାରୀ। ବାତ୍ୟା ଓ ବନ୍ୟା ନହେଲେ ଏହି ବାବଦରେ ଅର୍ଥ ଖର୍ଚ୍ଚ ହେବାର ଆବଶ୍ୟକତା ନଥାଏ ବୋଲି ସେ କହିଛନ୍ତି। ବିରୋଧୀ ଏହି ପ୍ରସଙ୍ଗରେ ଅଧ୍ୟୟନ କରି ଗୃହରେ ଆଲୋଚନା କରିବା ଉଚିତ ବୋଲି ମନ୍ତ୍ରୀ ମତ ରଖିଛନ୍ତି।
ମନ୍ତ୍ରୀ କହିଛନ୍ତି, ବନ୍ୟା ସମୟରେ ସେ ସାରା ରାତି ପ୍ରଭାବିତ ଅଞ୍ଚଳର ବିଧାୟକଙ୍କ ସହ ଯୋଗାଯୋଗରେ ଥିଲେ। ରାଇକିଆରେ ଭୂସ୍ଖଳନ ସମୟରେ ୧୧ ଦିନ ଧରି ଉଦ୍ଧାର କାର୍ଯ୍ୟ ଚାଲିଥିଲା। ଏଥିରେ ନେତୃତ୍ୱ ନେଇଥିବା ଉପଜିଲ୍ଲାପାଳ ଓ କୋରାପୁଟର ସମଗ୍ର ଟିମ୍କୁ ସେ ପ୍ରଶଂସା କରିଛନ୍ତି।
ଚଳିତ ବର୍ଷ ମୌସୁମୀ ବର୍ଷା ସ୍ୱାଭାବିକଠାରୁ ୩୦ ପ୍ରତିଶତ ଅଧିକ ହୋଇଥିବା ଏବଂ ଏଲ୍-ନିନୋ ପ୍ରଭାବ ଯୋଗୁଁ ପାଣିପାଗରେ ପରିବର୍ତ୍ତନ ଆସୁଥିବା କଥା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଗଞ୍ଜାମରେ ଏଥର ହୋଇଥିବା ବର୍ଷା ଅସାଧାରଣ ଥିଲା ବୋଲି ସେ କହିଛନ୍ତି।
ବିପର୍ଯ୍ୟୟ ସମୟରେ କାର୍ଯ୍ୟରେ ଅବହେଳା କରୁଥିବା ଅଧିକାରୀଙ୍କୁ ଛଡ଼ାଯିବ ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଏହି ପର୍ଯ୍ୟନ୍ତ ୨୦ ଜଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ସେ ସୂଚନା ଦେଇଛନ୍ତି। ମୁଖ୍ୟ ଶାସନ ସଚିବ, ଏସ୍ଆର୍ସି ଓ ଅନ୍ୟ ଅଧିକାରୀମାନେ ରାତିସାରା କଣ୍ଟ୍ରୋଲ ରୁମ୍ରେ ରହି କାମ କରିଥିବା ମଧ୍ୟ କହିଛନ୍ତି।
ଏହାସହ ବନ୍ୟା ପରିଚାଳନାକୁ ନେଇ ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସମାଲୋଚନାକୁ ନେଇ ମଧ୍ୟ ମନ୍ତ୍ରୀ ପ୍ରଶ୍ନ ଉଠାଇଛନ୍ତି। ଗଣମାଧ୍ୟମ ସମ୍ମୁଖରେ ଆସି ପ୍ରଶ୍ନର ଉତ୍ତର ଦେବାକୁ ସେ ଆହ୍ୱାନ ଦେଇଛନ୍ତି। ବିପର୍ଯ୍ୟୟ ସମୟରେ ରାଜନୀତି ନକରି ସମସ୍ତେ ମିଳିମିଶି କାମ କରିବା ଆବଶ୍ୟକ ବୋଲି ସୁରେଶ ପୂଜାରୀ କହିଛନ୍ତି।
Also Read: କୋଟିଆକୁ ନେଇ ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ବୟାନ, ଓଡ଼ିଶାରୁ ଅଲଗା କରିବାକୁ ଉଦ୍ୟମ କଲେ କଠୋର କାର୍ଯ୍ୟାନୁଷ୍ଠାନ