ଭୁବନେଶ୍ୱର: କୋଟିଆକୁ ନେଇ ବିଧାନସଭାରେ ନିଜ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ରାଜସ୍ୱ ମନ୍ତ୍ରୀ। କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ ଥିଲା, ଅଛି ଏବଂ ରହିବ ବୋଲି ସେ ଦୃଢ଼ୋକ୍ତି କରିଛନ୍ତି। ଏହାକୁ ଓଡ଼ିଶାଠାରୁ ଅଲଗା କରିବାକୁ କେହି ଉଦ୍ୟମ କଲେ କଠୋର ପଦକ୍ଷେପ ନିଆଯିବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି।
ମନ୍ତ୍ରୀଙ୍କ କହିବା ଅନୁଯାୟୀ, କୋଟିଆ ଅଞ୍ଚଳରେ ୨୧ଟି ଗ୍ରାମ ରହିଛି। ୧୯୨୦ ମସିହାରେ ଏହା ସାଲୁର ଏଜେନ୍ସିର ଅଂଶ ଥିବାବେଳେ ପରେ ବ୍ରିଟିଶ ସରକାରଙ୍କ ସମୟରେ ପଟାଙ୍ଗୀ ତାଲୁକାକୁ ହସ୍ତାନ୍ତର ହୋଇଥିଲା। ୧୯୩୬ ପୂର୍ବରୁ ଆରମ୍ଭ ହୋଇଥିବା ସୀମା ବିବାଦ ଏବେ ବି ଜାରି ରହିଛି। ଭୌଗୋଳିକ, ଭାଷା ଓ ପରମ୍ପରା ଦୃଷ୍ଟିରୁ କୋଟିଆ ଓଡ଼ିଶାର ଅଂଶ ବୋଲି ସେ କହିଛନ୍ତି।
୧୯୬୮ ମସିହାରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନେଇ ଦିଲ୍ଲୀରେ ବୈଠକ ହୋଇଥିଲେ ମଧ୍ୟ ବିବାଦର ସମାଧାନ ହୋଇପାରିନଥିଲା। ନଭେମ୍ବର ୧୪, ୧୯୬୮ରେ ସୁପ୍ରିମକୋର୍ଟରେ ମାମଲା ଆରମ୍ଭ ହୋଇଥିଲା। ପରେ ୨୦୦୬ ମାର୍ଚ୍ଚ ୩୦ରେ ମୂଳ ମାମଲା ଖାରଜ ହୋଇଥିଲା। ଏବେ ଉଭୟ ରାଜ୍ୟ ଷ୍ଟାଟସ୍ କୋ ବ୍ୟବସ୍ଥାରେ ରହିଥିବା ବେଳେ ଏହାର ଉଲ୍ଲଂଘନ ନେଇ ଆଇନଗତ ଦିଗରୁ ସରକାର ଅନୁଧ୍ୟାନ କରୁଛନ୍ତି।
୨୦୨୧ରେ ଆନ୍ଧ୍ରପ୍ରଦେଶ ପକ୍ଷରୁ କୋଟିଆରେ ଜୋରଜବରଦସ୍ତି ନିର୍ବାଚନୀ ବୁଥ୍ କରାଯାଇ ଭୋଟ୍ ଗ୍ରହଣ ହୋଇଥିବା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ତେବେ ଚଳିତ ପଞ୍ଚାୟତ ନିର୍ବାଚନ ସମୟରେ ସର୍ବଦଳୀୟ ସହଯୋଗ ଓ ସମନ୍ୱିତ ପଦକ୍ଷେପ ଯୋଗୁଁ ଆନ୍ଧ୍ରକୁ କୋଟିଆରେ ପ୍ରବେଶ କରିବାରେ ସଫଳତା ମିଳିନଥିବା ସେ କହିଛନ୍ତି।
କୋଟିଆର ବିକାଶ ପାଇଁ ସରକାର ବିଭିନ୍ନ ସୁବିଧା ଯୋଗାଇ ଦେଉଥିବା ମଧ୍ୟ ଗୃହରେ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏକ ସବ୍-କମିଟି ଗଠନ ହୋଇଛି। ଦୁଇ ଉପମୁଖ୍ୟମନ୍ତ୍ରୀ ଓ ଯୋଗାଣ ମନ୍ତ୍ରୀଙ୍କ ସହ ସେ ନିଜେ ମଧ୍ୟ କୋଟିଆ ଗସ୍ତ କରି ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। କୋଟିଆ ପରବ ପାଇଁ ୫୦ ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଛି।
ଏହାସହ SIR ପ୍ରସଙ୍ଗରେ ମଧ୍ୟ ଆଇନଜୀବୀଙ୍କ ସହ ବିଚାରବିମର୍ଶ ଚାଲିଥିବା ମନ୍ତ୍ରୀ କହିଛନ୍ତି। ଆଗାମୀ ନିର୍ବାଚନ ପାଇଁ ସରକାର ପ୍ରସ୍ତୁତ ଥିବା ବେଳେ ରାଜ୍ୟର ଅନ୍ୟ ସୀମା ବିବାଦଗୁଡ଼ିକର ସମାଧାନ ଦିଗରେ ମଧ୍ୟ ପଦକ୍ଷେପ ନିଆଯାଉଛି।