ମୁମ୍ବାଇ: ଟାଟା ଗ୍ରୁପରେ ଲାଗି ରହିଥିବା ବିବାଦ ଥମିବାର ନାଁ ଧରୁ ନାହିଁ ।'ଟାଟା ସନ୍ସ' ଓ ‘ଟାଟା ଟ୍ରଷ୍ଟ’ ମଧ୍ୟରେ ଆଇନଗତ ଲଢ଼େଇ ଆରମ୍ଭ ହୋଇଛି । 'ଟାଟା ସନ୍ସ'ର ଅଧ୍ୟକ୍ଷ ଭାବରେ ଏନ୍. ଚନ୍ଦ୍ରଶେଖରନଙ୍କ ପୁନଃନିଯୁକ୍ତି ବିରୋଧରେ ନୋଏଲ ଟାଟାଙ୍କ ସମର୍ଥନରେ ଟାଟା ଟ୍ରଷ୍ଟ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । 'ସାର୍ ଦୋରାବଜୀ ଟାଟା ଟ୍ରଷ୍ଟ' ଏବଂ 'ରତନ ଟାଟା ଟ୍ରଷ୍ଟ' ଏହି ବିବାଦକୁ ନେଇ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ନିଷ୍ପତ୍ତି ନେଇଛନ୍ତି।
ସେପ୍ଟେମ୍ବର ୧୭ ତାରିଖରେ ଟାଟ ସନ୍ସର ଅଧ୍ୟକ୍ଷଭାବେ ଏନ୍. ଚନ୍ଦ୍ରଶେଖରନଙ୍କ କାର୍ଯ୍ୟକାଳ ଆଉ ପାଞ୍ଚ ବର୍ଷ ପାଇଁ ବୃଦ୍ଧି କରାଯାଇଥିଲା । ଅର୍ଥାତ ଚନ୍ଦ୍ରଶେଖରନଙ୍କ ପୁନଃନିଯୁକ୍ତ ପ୍ରସ୍ତାବକୁ ବୋର୍ଡ ବୈଠକରେ ଅନୁମୋଦନ ମିଳିଥିଲା। କିନ୍ତୁ ଟାଟା ଟ୍ରଷ୍ଟ ଏହି ନିଯୁକ୍ତିକୁ ଅବୈଧ ବୋଲି ଦର୍ଶାଇଛି । 'ଟାଟା ସନ୍ସ'ର ନିୟମାବଳୀ ଅନୁଯାୟୀ ଏହି ପ୍ରସ୍ତାବ ପାଇଁ ଆବଶ୍ୟକ ସଂଖ୍ୟକ ଭୋଟ୍ ମିଳିପାରି ନଥିଲା । ତେଣୁ ଏହି ନିଯୁକ୍ତିକୁ ଅବୈଧ ବୋଲି ବିବେଚନା କରିବାକୁ ଟାଟା ଟ୍ରଷ୍ଟ ଯୁକ୍ତି ଦର୍ଶାଇଛି ।
ଟ୍ରଷ୍ଟର କହିବା ଅନୁଯାୟୀ, ଅଧ୍ୟକ୍ଷଙ୍କ ନିଯୁକ୍ତି କିମ୍ବା ପୁନଃନିଯୁକ୍ତି ଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ବୈଠକରେ ଉପସ୍ଥିତ ଥିବା ଟ୍ରଷ୍ଟ ଦ୍ୱାରା ମନୋନୀତ ନିର୍ଦ୍ଦେଶକମାନଙ୍କ ମଧ୍ୟରୁ ବହୁମତ ମିଳିବା ବାଧ୍ୟତାମୂଳକ । ସେପ୍ଟେମ୍ବର ୧୭ ତାରିଖରେ ଅନୁଷ୍ଠିତ ବୋର୍ଡ ବୈଠକରେ ଏହି ସର୍ତ୍ତ ପୂରଣ ହୋଇନଥିଲା। ଫଳସ୍ୱରୂପ, ଟ୍ରଷ୍ଟଗୁଡ଼ିକ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ଯାଉଛନ୍ତି। ଏହି ନିଷ୍ପତ୍ତିକୁ ଅବୈଧ ଘୋଷଣା କରାଯାଉ ଏବଂ କମ୍ପାନୀକୁ ଆଗାମୀ ପଦକ୍ଷେପ ନେବାକୁ ରୋକାଯାଉ ।
ଏନ୍. ଚନ୍ଦ୍ରଶେଖରନ ଟାଟା ସନ୍ସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇସାରିଥିଲେ । କିନ୍ତୁ ସେପ୍ଟେମ୍ବର ୧୭ ତାରିଖ ବୈଠକରେ ତାଙ୍କର ପୁନଃନିଯୁକ୍ତି ପାଇଁ ବିଚାର ହୋଇଥିଲା । ଏଥିରେ ଦୁଇ ଜଣ ସଦସ୍ୟଙ୍କ ମତଭେଦ ଦେଖାଦେଇଥିଲା । ଏଥିରେ ନୋଏଲ ଟାଟା ପୁନଃନିଯୁକ୍ତି ବିରୁଦ୍ଧରେ ଭୋଟ୍ ଦେଇଥିବାବେଳେ ବେଣୁ ଶ୍ରୀନିବାସନ ସପକ୍ଷରେ ଭୋଟ୍ ଦେଇଥିଲେ । ଟ୍ରଷ୍ଟର ଦୁଇ ପ୍ରତିନିଧିଙ୍କ ମତଭେଦ ଯୋଗୁଁ ବୈଠକର ଅଧ୍ୟକ୍ଷତା କରୁଥିବା ହରିଶ ମାନୱାନୀ ନିଜର ନିର୍ଣ୍ଣାୟକ ଭୋଟ ପ୍ରୟୋଗ କରିଥିଲେ। ଏହି ନିର୍ଣ୍ଣାୟକ ଭୋଟ ମାଧ୍ୟମରେ ହିଁ ଚନ୍ଦ୍ରଶେଖରନଙ୍କ ପରବର୍ତ୍ତୀ କାର୍ଯ୍ୟକାଳକୁ ଅନୁମୋଦନ ମିଳିଥିଲା। ବର୍ତ୍ତମାନ ଟ୍ରଷ୍ଟଗୁଡ଼ିକ ଯୁକ୍ତି କରୁଛନ୍ତି ଯେ, କମ୍ପାନୀର ନିୟମ ଅନୁଯାୟୀ ଆବଶ୍ୟକ ହେଉଥିବା ସପକ୍ଷ ଭୋଟ ବଦଳରେ ଏହି ନିର୍ଣ୍ଣାୟକ ଭୋଟ ଗ୍ରହଣଯୋଗ୍ୟ ହୋଇପାରିବ ନାହିଁ।