ନୂଆଦିଲ୍ଲୀ: ବକ୍ସ ଅଫିସରେ ଧମାକା କରୁଛି ‘ରାମାୟଣ: ପାର୍ଟ-୧’। ବିଶ୍ୱବ୍ୟାପୀ ସଫଳତା ପାଇଁ ଏହି ଫିଲ୍ମର ନିର୍ମାତା ଓ କଳାକାରଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଭାରତର ଏକ ମହାନ ପୌରାଣିକ ଗାଥାକୁ ଏତେ ବଡ଼ ସିନେମାଟିକ୍ ପରିସରରେ ପରଦାକୁ ଆଣିଥିବାରୁ ସେ ଟିମ୍କୁ ପ୍ରଶଂସା କରିଛନ୍ତି।
ଏହି ସାକ୍ଷାତ ସମୟରେ ପ୍ରଯୋଜକ ନମିତ ମଲହୋତ୍ରା, ନିର୍ଦ୍ଦେଶକ ନିତେଶ ତିୱାରୀ, ଅଭିନେତା ରଣବୀର କପୁର ଓ ସାଇ ପଲ୍ଲବୀ ଏବଂ ସହ-ପ୍ରଯୋଜକ ନିରଜ ସାଙ୍ଗାଇ ଉପସ୍ଥିତ ଥିଲେ।
ରଣବୀର କପୁର, ୟଶ, ସାଇ ପଲ୍ଲବୀ ଓ ରବି ଦୁବେଙ୍କ ଭଳି କଳାକାରଙ୍କ ଅଭିନୟରେ ସମୃଦ୍ଧ ଏହି ଫିଲ୍ମଟି ବିଶ୍ୱସ୍ତରରେ ଦର୍ଶକଙ୍କ ଆକର୍ଷଣ ସାଉଁଟିଛି। ନିର୍ମାତାଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏହା ସର୍ବାଧିକ ଆୟ କରିଥିବା ଭାରତୀୟ ଫିଲ୍ମଗୁଡ଼ିକ ମଧ୍ୟରେ ସ୍ଥାନ ପାଇଛି।
ରିପୋର୍ଟ ଅନୁଯାୟୀ, ବିଶ୍ୱବ୍ୟାପୀ ୨୦୦୦ କୋଟି ଟଙ୍କା ଆୟର ମାଇଲଖୁଣ୍ଟ ଛୁଇଁବା ଦିଗରେ ଆଗକୁ ବଢ଼ୁଛି ଫିଲ୍ମ। ଅନ୍ୟପଟେ, ଫିଲ୍ମର ସଫଳତା ପରେ ବୁଧବାର ରଣବୀର କପୁର ଦିଲ୍ଲୀର ପ୍ରସିଦ୍ଧ ଗୁରୁଦ୍ୱାର ବାଙ୍ଗଲା ସାହିବରେ ପହଞ୍ଚି ପ୍ରାର୍ଥନା କରିଥିଲେ। ତାଙ୍କ ସହ ନିର୍ଦ୍ଦେଶକ ନିତେଶ ତିୱାରୀ ଓ ପ୍ରଯୋଜକ ନମିତ ମଲହୋତ୍ରା ମଧ୍ୟ ଉପସ୍ଥିତ ଥିଲେ।
ଏହି ଦୁଇ ଭାଗ ବିଶିଷ୍ଟ ସିନେମାଟିକ୍ ରାମାୟଣର ପ୍ରଥମ ଭାଗର ସଙ୍ଗୀତ ରଚନା କରିଛନ୍ତି ଏ.ଆର୍. ରହମାନ ଓ ହାନ୍ସ ଜିମର। ଏବେ ଦର୍ଶକଙ୍କ ନଜର ଏହାର ପରବର୍ତ୍ତୀ ଭାଗ ଉପରେ।