କାଠମାଣ୍ଡୁ: ଅଗଷ୍ଟ ମାସରେ ନେପାଳରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟାରେ ନିଖୋଜ ଥିବା ହଜାର ହଜାର ବ୍ୟକ୍ତିଙ୍କ ସୂଚନା ଏବେବି ମିଳିନାହିଁ । ଘଟଣାର ୩ ମାସ ପରେ ଏହି ପ୍ରଳୟଙ୍କାରୀ ବନ୍ୟାରେ ନିଖୋଜ ଥିବା ୨୧୩ ଜଣ ଭାରତୀୟଙ୍କୁ ମୃତ ଘୋଷଣା କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି ।
ନେପାଳ ସ୍ଥିତ ଭାରତୀୟ ଦୂତାବାସ, ନିଖୋଜ ଭାରତୀୟଙ୍କୁ ମୃତ ଘୋଷଣା କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ପ୍ରେସ ବିବୃତ୍ତି ଜରିଆରେ ସୂଚନା ଦେଇଛି । ନେପାଳର ଜାତୀୟ ବିପର୍ଯ୍ୟୟ ହ୍ରାସ ଏବଂ ପରିଚାଳନା କର୍ତ୍ତୃପକ୍ଷ ନିଖୋଜ ୨୧୩ ଜଣଙ୍କ ତାଲିକା ନିଜ ୱେବସାଇଟରେ ଅପଲୋଡ୍ କରିଛି । ତାଲିକାରୁ ନାମ ହଟାଇବା କିମ୍ବା ଯୋଡ଼ିବା କିମ୍ବା ଅନ୍ୟ କୌଣସି ଅଭିଯୋଗ ପାଇଁ ଆବେଦନ ଆହ୍ୱାନ କରିଛି । ନିଖୋଜ ବ୍ୟକ୍ତିଙ୍କ ସମ୍ପର୍କୀୟ ମାନେ ନିଜର ମତ ଦେବାକୁ ଦୂତାବାସ ସହିତ ଯୋଗାଯୋଗ କରିପାରିବେ । ଏଥିପାଇଁ ଡିସେମ୍ବର ୨ ତାରିଖ ଯାଏ ଅବଧି ରହିଛି ।
ନିଖୋଜ ବ୍ୟକ୍ତିଙ୍କ ସମ୍ପର୍କୀୟମାନେ ଇମେଲ୍ ଆକାଉଣ୍ଟ (eoikathmandufloodsupport@gmail.com) କିମ୍ବା ମୋବାଇଲ୍ ନମ୍ବର (+9779851316807)ରେ ନିଜର ଅଭିଯୋଗ ପଠାଇ ପାରିବେ । ଆପତି, ଅଭିଯୋଗ ଏବଂ ମତାମତ ନେବା ପ୍ରକ୍ରିୟା ପୂରଣ ହେବା ପରେ ନେପାଳ ସରକାର ତାଲିକାକୁ ଅନ୍ତିମ ରୂପ ଦେବେ ଏବଂ ଆନୁଷ୍ଠାନିକଭାବେ ନିଖୋଜ ବ୍ୟକ୍ତିଙ୍କୁ ମୃତ ଘୋଷଣା କରିବେ । ମୃତ ଘୋଷଣା ହେବା ପରେ ସମ୍ପର୍କୀୟମାନେ ଭାରତୀୟ ଦୂତାବାସ ନିକଟରୁ ମୃତ୍ୟୁ ପ୍ରମାଣ ପତ୍ର ପାଇପାରିବେ ।
ଚଳିତ ବର୍ଷ ୨୬ ଅଗଷ୍ଟରେ ନେପାଳର ଭୋଟେ କୋଶୀ ନଦୀରେ ପ୍ରଳୟଙ୍କାରୀ ବନ୍ୟା ଆସିଥିଲା । ନେପାଳ ବିପର୍ଯ୍ୟୟ ପରିଚାଳନା ବିଭାଗର ସୂଚନା ଅନୁସାରେ, ୧୪୫୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୦୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି ।