ଆଜି ଭାରତୀୟ ସମ୍ବିଧାନ ଦିବସ। ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ଭାରତର ସମ୍ବିଧାନ ସଭା ଦ୍ୱାରା ଭାରତୀୟ ସମ୍ବିଧାନ ଗ୍ରହଣ କରାଯାଇଥିଲା ଏବଂ ୧୯୫୦ ମସିହା ଜାନୁଆରୀ ୨୬ରେ ଏହା ଲାଗୁ ହୋଇଥିଲା। ଆଜି ଦିନର ଉଦ୍ଦେଶ୍ୟ ହେଉଛି ସାମ୍ବିଧାନିକ ମୂଲ୍ୟବୋଧ ଏବଂ ଆଦର୍ଶ ସମ୍ପର୍କରେ ନାଗରିକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା। ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ସମ୍ବିଧାନ ହେଉଛି ଏମିତି ଏକ ବିଚାରଧାରା ଯାହା ପ୍ରତ୍ୟେକ ଭାରତୀୟ ନାଗରିକଙ୍କୁ ଏକତ୍ର ବାନ୍ଧି ରଖିଥାଏ । ସମ୍ବିଧାନ ଦ୍ବାରା ଦେଶର ପ୍ରତ୍ୟେକ ନାଗରିକଙ୍କୁ ସମାନ ଅଧିକାର ପ୍ରଦାନ କରେ ଏବଂ ସେମାନଙ୍କୁ ସମାନ ନିୟମରେ ବାନ୍ଧି ରଖିଥାଏ ।
୨୦୧୫ ମସିହାରୁ ୨୬ ନଭେମ୍ବରକୁ ସମ୍ବିଧାନ ଦିବସ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହା ମଧ୍ୟ ବିଶେଷ କାରଣ ରହିଛି ଯେ ସେହି ବର୍ଷ ସମ୍ବିଧାନର ନିର୍ମାତା ଡ. ବିଆର ଆମ୍ବେଦକରଙ୍କ ୧୨୫ତମ ଜନ୍ତ ଜୟନ୍ତୀ ଦେଶରେ ପାଳନ କରାଯାଉଥିଲା।
ଭାରତୀୟ ସମ୍ବିଧାନକୁ ବିଶ୍ୱର ଦୀର୍ଘତମ ଲିଖିତ ସମ୍ବିଧାନ ଭାବେ ବିବେଚନା କରାଯାଏ। ଏଥିରେ ଅନେକ ଦେଶର ସମ୍ବିଧାନ ଗ୍ରହଣ କରାଯାଇଛି, ତେଣୁ ଏହାକୁ ‘Bag of Borrowings ‘ ମଧ୍ୟ କୁହାଯାଏ। ଏହାର ଅନେକ ଅଂଶ ବା ଧାରା ବ୍ରିଟେନ, ଆମେରିକା, ଜର୍ମାନୀ, ଆୟର୍ଲାଣ୍ଡ, ଅଷ୍ଟ୍ରେଲିଆ, କାନାଡା ଏବଂ ଜାପାନର ସମ୍ବିଧାନରୁ ନିଆଯାଇଛି ।
ଭାରତୀୟ ସମ୍ବିଧାନରେ ନାଗରିକମାନଙ୍କର ମୌଳିକ ଅଧିକାର, କର୍ତ୍ତବ୍ୟ, ସରକାରଙ୍କ ଭୂମିକା, ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଭୂମିକା ଏବଂ ଶକ୍ତି ବିଷୟରେ ସଂପୂର୍ଣ୍ଣ ତଥ୍ୟ ଉଲ୍ଲେଖ ରହିଛି।
ସମ୍ବିଧାନର ମୂଳ ଲେଖା ଟାଇପ୍ କିମ୍ବା ପ୍ରିଣ୍ଟେଡ୍ ରେ ହୋଇନଥିଲା। ଏହାକୁ ପ୍ରେମ ନାରାୟଣ ରାୟଜାଦା ଲେଖିଥିଲେ। ସମ୍ବିଧାନକୁ କେଲିଗ୍ରାଫିରେ ଇଣ୍ଡେଲିକ ଅକ୍ଷରରେ ଲେଖାଯାଇଛି।
ସମ୍ବିଧାନର ମୂଳ କପି ୧୬ ଇଞ୍ଚ ଚଉଡା। ଏହା ୨୨ ଇଞ୍ଚ ଲମ୍ବା ପ୍ରେଚମେଣ୍ଟ ସିଟ୍ ଉପରେ ଲେଖାଯାଇଛି । ଏଥିରେ ସମୁଦାୟ ୨୫୧ ପୃଷ୍ଠା ଅଛି। ସମଗ୍ର ସମ୍ବିଧାନ ପ୍ରସ୍ତୁତ କରିବାକୁ ୨ ବର୍ଷ, ୧୧ ମାସ ୧୮ ଦିନ ଲାଗିଲା । ଏହା ୨୬ ନଭେମ୍ବର ୧୯୪୯ ରେ ସମାପ୍ତ ହୋଇଥିଲା ଏବଂ ୨୬ ଜାନୁୟାରୀ ୧୯୫୦ ରେ କାର୍ଯ୍ୟକାରୀ କରାଯାଇଥିଲା ।
ସମ୍ବିଧାନର ମୂଳ କପି ଉଭୟ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ଲେଖାଯାଇଥିଲା। ଜାନୁୟାରୀ ୨୪, ୨୯୫୦ ରେ ଅନୁଷ୍ଠିତ ବିଧାନସଭାରେ ଏହା ୨୮୪ ସଦସ୍ୟଙ୍କ ଦ୍ୱାରା ସ୍ୱାକ୍ଷରିତ ହୋଇଥିଲା। ସେଥିମଧ୍ୟରୁ ୧୫ ଜଣ ମହିଳା ଥିଲେ। ଭାରତୀୟ ସମ୍ବିଧାନରେ ୩୯୫ ଅନୁଚ୍ଛେଦ, ୨୨ ଖଣ୍ଡ ଏବଂ ଆଠ ସୂଚୀ ସାମିଲ୍। ହେଲେ ବର୍ତ୍ତମାନ ସମ୍ବିଧାନରେ ୪୭୦ ଅନୁଚ୍ଛେଦ, ୨୫ ଖଣ୍ଡ ଏବଂ ୧୨ ଅନୁସୂଚୀ ସହିତ ୫ ପରିଶିଷ୍ଟ ମଧ୍ୟ ରହିଛି।
ସମ୍ବିଧାନରେ ସମୁଦାୟ ୧,୪୫,୦୦୦ ଶବ୍ଦ ଅଛି । ଏହାକୁ ଶେଷ କରିବା ପୂର୍ବରୁ ଏଥିରେ ୨୦୦୦ ରୁ ଅଧିକ ସଂଶୋଧନ କରାଯାଇଥିଲା।
ଭାରତୀୟ ସମ୍ବିଧାନର ମୌଳିକ ଗଠନ ଭାରତ ସରକାର ଅଧିନିୟମ, ୧୯୩୫ ଉପରେ ଆଧାରିତ।