ମୟୂରଭଞ୍ଜ : ମାଟି ଚାଲାଣ ବେଳେ ଚଢାଉ କରିବାକୁ ଯାଇଥିବା ବେଳେ ତହସିଲଦାରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ ହୋଇଛି। ବାଛୁରିପାଳ ଛକରେ ବାଲି ଓ ମୋରମ ଗାଡ଼ି ଯାଞ୍ଚ ବେଳେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ଥାନାରେ ଟ୍ରାକ୍ଟର ଡ୍ରାଇଭରକୁ ପୋଲିସ ଅଟକ ରଖିଛି।ଡ୍ରାଇଭର ଜଣକ ହେଲେ ଚନ୍ଦୁ ବାସ୍କେ।
ସୂଚନା ଅନୁଯାୟୀ ବୁଧବାର ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ଅଞ୍ଚଳର ବାଛୁରିପାଳ ଛକରେ ତହସିଲଦାର ଉପେନ୍ଦ୍ର ଦାସ ଯାଞ୍ଚ କରୁଥିଲେ।ଏହି ସମୟରେ ଏକ ଟ୍ରାକ୍ଟରରେ ବେଆଇନ ଭାବେ ମାଟି ଚାଲାଣ ହେଉଥିବାର ଗାଡିକୁ ତହସିଲଦାର ଅଟକାଇଥିଲେ।ଗାଡି ଚାଳକ ଜଣକ ତହସିଲଦାରଙ୍କ ଗାଡ଼ିକୁ ଧକ୍କା ଦେଇ ହତ୍ୟା କରିବାକୁ ଉଦ୍ୟମ କରିଥିଲା। ଡ୍ରାଇଭର ୩ ଥର ଗାଡ଼ି ଚଢ଼ାଇ ଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।ନିଜ ଜୀବନ ବଞ୍ଚାଇବାକୁ ତହସିଲଦାର ଗାଡ଼ିରୁ ଡେଇଁ ପଡ଼ିବା ସହ ଟ୍ରାକ୍ଟରଟିକୁ ଅଟକାଇଥିଲେ। ପରେ ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ।
ଏହି ଘଟଣାକୁ ନେଇ ରାସଗୋବିନ୍ଦପୁର ଥାନାରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ଟ୍ରାକ୍ଟରଟିକୁ ଜବତ କରିଥିବା ବେଳେ ଚାଳକ ଚନ୍ଦୁ ବାସ୍କେଙ୍କୁ ଥାନାରେ ଅଟକ ରଖିଛି। ଘଟଣାକୁ ନେଇ ପୋଲିସର ତଦନ୍ତ ଜାରି ରହିଛି।