ନୂଆଦିଲ୍ଲୀ: ବିଶ୍ୱକୁ ମିଳିଛି ଚଳିତ ବର୍ଷର ବିଶ୍ୱ ସୁନ୍ଦରୀ । ପ୍ୟୁର୍ଟୋ ରିକୋର ଜେନିଫର୍ ବାରେଟୋ ପିନ୍ଧିଛନ୍ତି ୭୫ତମ ବିଶ୍ୱ ସୁନ୍ଦରୀ ମୁକୁଟ । ସୈନ ଜୁଆନର ଜୋସ୍ ମିଗୁଏଲ ଏଗ୍ରୋଲୋଟ କଲେଜିୟମରେ ଆୟୋଜିତ ଅନ୍ତିମ ପର୍ଯ୍ୟାୟରେ ବିଚାରକ ମଣ୍ଡଳୀଙ୍କ ହୃଦୟ ଜିତି ଜେନିଫର୍ ଏହି ମୁକୁଟ ନିଜ ନାମରେ କରିଛନ୍ତି । ଗତ ବର୍ଷର ବିଶ୍ୱ ସୁନ୍ଦରୀ ମେକ୍ସିକୋର ଫାତିମା ବୋଶ୍ ଜେନିଫରଙ୍କ ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧାଛନ୍ତି ।
ଡୋମିନିକାନ୍ ରିପବ୍ଲିକ୍ର ମେଲିସା ନୁନେଜ୍ ପ୍ରଥମ ରନର୍-ଅପ୍ ହୋଇଥିବା ବେଳେ, ଭେନେଜୁଏଲାର କ୍ଲାରା ଭେଗାସ୍ ଗୋଏଜ୍ ଦ୍ୱିତୀୟ ରନର୍-ଅପ୍ ସ୍ଥାନ ହାସଲ କରିଛନ୍ତି ।
ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାରେ ଅନ୍ତିମ ଚରଣ ବହୁତ ରୋମାଞ୍ଚକ ଓ କଷ୍ଟକର ଥିଲା । ଶ୍ରେଷ୍ଠ ୫ ଜଣଙ୍କ ମଧ୍ୟରେ ସ୍ଥାନ ପାଇବା ପାଇଁ ଫିଲିପାଇନ୍ସ, ନ୍ୟୁଜିଲ୍ୟାଣ୍ଡ, ଭେନୁଜୁଏଲା, ଡୋମିନିକାନ ରିପବ୍ଲିକ୍ ଏବଂ ପ୍ୟୁର୍ଟୋ ପ୍ରତିଯୋଗୀଙ୍କ ମଧ୍ୟରେ ଜୋରଦାର୍ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା । ଶେଷରେ ପ୍ୟୁର୍ଟୋ ମୁକୁଟ ବାଜିମାତ କରିନେଇଛି ।
କ’ଣ ଥିଲା ଅନ୍ତିମ ପ୍ରଶ୍ନ ?
ଚୂଡ଼ାନ୍ତ ପର୍ଯ୍ୟାୟରେ ଶ୍ରେଷ୍ଠ ୫ ଜଣ ପ୍ରତିଯୋଗୀଙ୍କୁ ଏକ ସମାନ ପ୍ରଶ୍ନ ପଚରାଯାଇଥିଲା, "ଆଜିର ଦୁନିଆରେ, ବିଶ୍ୱକୁ ନିଜ ନେତାମାନଙ୍କ ଠାରୁ ସବୁଠାରୁ ଅଧିକ କ’ଣ ଆବଶ୍ୟକ?" ବିନା କୌଣସି ଦ୍ୱିଧାରେ, ଜେନିଫର୍ ଏକ ଅତ୍ୟନ୍ତ ପରିପକ୍ୱ ଉତ୍ତର ଦେଇ ବିଚାରକଙ୍କ ମନ ଜିଣି ନେଇଥିଲେ। ଜେନିଫରଙ୍କ ଉତ୍ତର ଥିଲା, ଆଜିର ଦୁନିଆକୁ ଏପରି ନେତାଙ୍କ ଆବଶ୍ୟକତା ରହିଛି, ଯେଉଁମାନେ ନିଜ କାର୍ଯ୍ୟକ୍ଷେତ୍ରରେ ଦକ୍ଷ ହେବା ସହିତ ଅନ୍ୟମାନଙ୍କ ଦୁଃଖ ଓ ଭାବନାକୁ ବୁଝିବାର କ୍ଷମତା ମଧ୍ୟ ରଖିଥିବେ। ଆମେ ଏପରି ଏକ ସମାଜରେ ବାସ କରୁଛୁ ଯେଉଁଠାରେ ଲୋକମାନେ ଖୁବ୍ ଶୀଘ୍ର ଅନ୍ୟମାନଙ୍କୁ ବିଚାର କରିବାକୁ କିମ୍ବା ପ୍ରଶ୍ନ ଉଠାଇବାକୁ ପଛାନ୍ତି ନାହିଁ । କିନ୍ତୁ, ଜଣେ ପ୍ରକୃତ ନେତା ସେହି ବ୍ୟକ୍ତି ଅଟନ୍ତି, ଯିଏ ନିଜ ନୀତି ଓ ଆଦର୍ଶରେ ଅଟଳ ରୁହନ୍ତି, ନିଜ ଆଚରଣ ମାଧ୍ୟମରେ ଉଦାହରଣ ସୃଷ୍ଟି କରନ୍ତି ଏବଂ ଅନ୍ୟମାନଙ୍କ ପାଇଁ ମଧ୍ୟ ସଫଳତାର ମାନଦଣ୍ଡକୁ ଉନ୍ନତ କରିଥାନ୍ତି। ସେ ବିଶ୍ୱାସ କରନ୍ତି ଯଦି ନେତାମାନେ ଲୋକଙ୍କ କଥା ଶୁଣି କାମ କରନ୍ତି ତେବେ ବଡ଼ ପରିବର୍ତ୍ତନ ଆଣିପାରିବେ ।
ଚଳିତ ବର୍ଷ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତରା ହୀରକ ଜୟନ୍ତୀ ଥିଲା । ଏଥିପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଥିଲା । ଏହି ବିଶେଷ ଅବସରକୁ ଆହୁରି ସ୍ମରଣୀୟ କରିବାକୁ 'ଦ ରେଡିଏନ୍ସ ଅଫ୍ ଆନ୍ ଇଟର୍ଣ୍ଣାଲ୍ ଲେଗାସି' (The Radiance of an Eternal Legacy) ନାମକ ଏକ ନୂତନ ତଥା ଭବ୍ୟ ମୁକୁଟ ଉନ୍ମୋଚନ କରାଯାଇଛି । ବିଶ୍ୱ ସୁନ୍ଦରୀ ମୁକୁଟକୁ ୩,୧୫୦ଟି ହୀରାରେ ସୁସଜ୍ଜିତ କରାଯାଇଛି । ଏହି ପ୍ରତିଯୋଗିତାର ୭୫ ବର୍ଷର ଯାତ୍ରାକୁ ପାଳନ କରିବା ତଥା ଏହାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି । ଏହି କାର୍ଯ୍ୟକ୍ରମ ୧୩୦ରୁ ଅଧିକ ଦେଶକୁ ନେଇ ଆରମ୍ଭ ହୋଇଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ବିଭିନ୍ନ କାରଣରୁ ୧୫ଟି ଦେଶ ଏଥିରୁ ଓହରି ଗଲେ।